ନାୟାର ପେଟ୍ରୋଲ ପମ୍ପରୁ ତେଲ ପକାଇ ବାଟରେ ହଟହଟା ବାଇକ୍ ଚାଳକ: ୪ ଦିନରେ ଶହେରୁ ଅଧିକ ଗାଡ଼ି ଅଚଳ

ବେଲଗୁଣ୍ଠା: ବେଲଗୁଣ୍ଠା ସହର ସ୍ଥିତ ନାୟାର ପେଟ୍ରୋଲ ପମ୍ପରୁ ତେଲ ପକାଇବା ପରେ ମୋଟରସାଇକେଲ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସ୍ୱାଭାବିକ ଭାବେ ଚାଲୁଥିବା ଗାଡ଼ିଗୁଡ଼ିକ ଏହି ଟାଙ୍କିରୁ ପେଟ୍ରୋଲ ନେବାର କିଛି ସମୟ ପରେ ହଠାତ୍ ରାସ୍ତା ମଝିରେ ବନ୍ଦ ହୋଇଯାଉଛି। ଫଳରେ ଚାଳକମାନେ ଗାଡ଼ିକୁ ଧକ୍କା ମାରି ମାରି ନେଉଥିବା ବେଳେ ବାଟରେ ଅଟକି ରହୁଥିବା ବାଇକ୍‌ଗୁଡ଼ିକୁ ଗ୍ୟାରେଜ୍‌କୁ ନେବା ପାଇଁ ମେକାନିକ୍ ମାନଙ୍କ ଡାକରା ପଡ଼ୁଛି। ଅନେକ ସ୍ଥାନରେ ଗ୍ୟାରେଜ କର୍ମଚାରୀ ଓ ଡାଲା ଅଟୋ ସାହାଯ୍ୟରେ ଗାଡ଼ିଗୁଡ଼ିକୁ ବୋହି ଆଣିବାକୁ ପଡ଼ୁଥିବା ଭଳି ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି।

ଗତ ଚବିଶି ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ଚାରି ଦିନ ମଧ୍ୟରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଗାଡ଼ି ଏହିଭଳି ଭାବେ ବାଟରେ ଅଟକି ଯାଇଥିବା ବିଭିନ୍ନ ଗ୍ୟାରେଜ୍ ମାଲିକ ପ୍ରକାଶ କରିଛନ୍ତି। ବିଶେଷ କରି ଗତ ଦୁଇ ଦିନ ମଧ୍ୟରେ କେବଳ ବେଲଗୁଣ୍ଠା ସହରରୁ ୩୦ ରୁ ଅଧିକ ବାଇକ୍ ରାସ୍ତାରେ ଅଚଳ ହୋଇପଡ଼ିବା ପରେ ସେଗୁଡ଼ିକୁ ଡାଲା ଅଟୋ ସାହାଯ୍ୟରେ ଗ୍ୟାରେଜ୍‌କୁ ଅଣାଯାଇଛି। ପେଟ୍ରୋଲରେ ଇଥାନଲ୍ ପରିମାଣର ଅସନ୍ତୁଳନ (ଅଧିକ କିମ୍ବା କମ୍ ମିଶ୍ରଣ) ଯୋଗୁଁ ହିଁ ଇଞ୍ଜିନ୍‌ରେ ଏଭଳି ବୈଷୟିକ ତ୍ରୁଟି ଦେଖାଦେଉଥିବା ସ୍ଥାନୀୟ ଗ୍ୟାରେଜ୍ ମେକାନିକମାନେ ସନ୍ଦେହ ପ୍ରକାଶ କରିଛନ୍ତି।

ଏହି ସମସ୍ୟା ବ୍ୟାପିବା ପରେ ବର୍ତ୍ତମାନ ଉକ୍ତ ପେଟ୍ରୋଲ ପମ୍ପରେ ଗାଡ଼ିଗୁଡ଼ିକର ଭିଡ଼ କମିଥିବା ବେଳେ, ଯେଉଁ ବାହାର ଚାଳକମାନେ ଏ ବିଷୟରେ ଅଜ୍ଞ ଅଛନ୍ତି ସେମାନେ ଏବେ ମଧ୍ୟ ତେଲ ପକାଇ ବାଟରେ ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ପେଟ୍ରୋଲର ମାନ ଯାଞ୍ଚ କରୁ ଏବଂ ପ୍ରକୃତ କାରଣ ଖୋଜି ବାହାର କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବିଭିନ୍ନ ବାଇକ୍ ଚାଳକ ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें