ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର
ଭଞ୍ଜନଗର- ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗତ କିଛି ଦିନ ହେଲା ଭଞ୍ଜନଗର, ବୁଗୁଡ଼ା, ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ଆଦି ଅଞ୍ଚଳରେ ବାରମ୍ବାର ଚୋରି ଓ ଡକାୟତି ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ପୋଲିସ ସମେତ ଅନ୍ୟ ଥାନାର ଅଧିକାରୀମାନଙ୍କୁ ସାମିଲ କରାଯାଇ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି କ୍ରମରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିଲା।
ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗକୁ ଆଧାର କରି ପୋଲିସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇ ଏହି ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୪ ଜଣ କୁଖ୍ୟାତ ସିନ୍ଧି ଚୋରଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଏ. ପୁତୁ ରାଜୁ, ଜିତୁ ନାହାକ, ଏମ. ମୁନା ଏବଂ ଏ. ନାଗାର୍ଜୁନ। ଏହି ଚୋରମାନେ ପ୍ରାୟତଃ ବନ୍ଦ ଥିବା ଘରର କବାଟ ଭାଙ୍ଗି ଭିତରେ ପଶି ଲୁଟପାଟ କରୁଥିଲେ। ପୋଲିସ ସେମାନଙ୍କ ନିକଟରୁ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ କରିଛି, ଯେଉଁଥିରେ ୬୬.୭୦ ଗ୍ରାମ ସୁନା ଏବଂ ୨ କିଲୋଗ୍ରାମରୁ ଊର୍ଦ୍ଧ୍ୱ ରୂପା ଅଳଙ୍କାର ସାମିଲ ରହିଛି।

ଆଜି ଏକ ସ୍ୱତନ୍ତ୍ର ପ୍ରେସ ବିବୃତି ଜରିଆରେ ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଏଥିସହ ଏହି ଅପରାଧିକ ନେଟୱର୍କରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଅତିଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ସେ ଦୃଢ଼ ପ୍ରକାଶ କରିଛନ୍ତି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।









