ରିପୋର୍ଟ -ମାଗୁଣୀ ମିଶ୍ର,ଭଞ୍ଜନଗର
ପ୍ରସିଦ୍ଧ ତ୍ରୈବାର୍ଷିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ଦିନ ୨୪ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟାରେ ମା’ ବ୍ୟାଘ୍ରଦେବୀ ଏବଂ ମା’ ଠାକୁରାଣୀଙ୍କ ମହାଆଳତି ଅନୁଷ୍ଠିତ ହେବ ସହ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ତଥା ଯାତ୍ରା କମିଟି ମୁଖ୍ୟ ଉମାଶଙ୍କର ବେହେରା ଏବଂ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ଆଳତି ପରେ ମା’ ବ୍ୟାଘ୍ରଦେବୀ ମନୋରମ “ସିଂହବାହିନୀ ବେଶ” ରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ମା’ଙ୍କ ଶୋଭାଯାତ୍ରା ତହସିଲ ଅଫିସ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ପଶ୍ଚିମମୁଖା ହୋଇ ପୂଜା ମଣ୍ଡପକୁ ଫେରିଥିଲା, ଯେଉଁଠାରେ ଦେବୀ ସିଂହ ପ୍ରତିକୃତି ଉପରେ ବିରାଜମାନ କରିଥିଲେ। ମାଁ ଙ୍କ ବିରଳ ସିଂହବାହିନୀ ବେଶ ଦେଖିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।

ଯାତ୍ରା ଅବସରରେ ମଙ୍ଗଳବାର ସନ୍ଧ୍ୟାରେ କବି ସମ୍ରାଟ ରଙ୍ଗମଞ୍ଚଠାରେ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା,ଯାହାକୁ ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ସଫଳତାର ସହ ସଂଯୋଜନା କରିଥିଲେ। ଏଥିସହ ରାତିରେ ପାରମ୍ପରିକ କଳା ସଂସ୍କୃତିକୁ ନେଇ ବିଭିନ୍ନ ନାଟକ ପରିବେଷଣ କରାଯାଇଥିଲା।ଏଥିରେ ବଡକୋଦଣ୍ଡାର ମହାଭାରତ ଏବଂ ମୁଜାଗଡ଼ର କଂସବଧ ଓ କୃଷ୍ଣ ଦଧୀମନ୍ଥନ ନାଟକ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା।
ବୁଧବାର ନାଟକ ସରିବା ପରେ ସନ୍ଧ୍ୟା ସମୟରେ ମା’ଙ୍କ ବହୁପ୍ରତୀକ୍ଷିତ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ। ଏହି କ୍ରମରେ ଦୁଇ ଦେବୀଙ୍କୁ ପୂଜା ମଣ୍ଡପରୁ ବନ ବିଭାଗର ଡାକବଙ୍ଗଳା ପର୍ଯ୍ୟନ୍ତ ନିଆଯିବ। ସେଠାରେ ଉଭୟ ଦେବୀଙ୍କ ମଧ୍ୟରେ ପ୍ରସିଦ୍ଧ “ଭେଟ ଯାତ୍ରା” ସମ୍ପନ୍ନ ହେବ। ଭେଟ ଯାତ୍ରା ପରେ ମା’ ବ୍ୟାଘ୍ରଦେବୀଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କୁଲାଡ଼ସ୍ଥିତ ସ୍ଥାୟୀ ମନ୍ଦିରକୁ ନିଆଯିବା ବେଳେ, ଦେବୀ ଠାକୁରାଣୀ ବନ ବିଭାଗ ଡାକବଙ୍ଗଳାରୁ ପଛକୁ ଫେରି ନିଜ ସ୍ଥାୟୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ଦେବୀଦ୍ୱୟ ନିଜ ସ୍ଥାୟୀ ମନ୍ଦିରକୁ ଫେରିବା ପରେ ଚଳିତ ବର୍ଷର ଏହି ମହାନ ଠାକୁରାଣୀ ଯାତ୍ରା ଆନୁଷ୍ଠାନିକ ଭାବେ ଉଦଯାପିତ ହେବ। ଲୋତକାଶ୍ରୁରେ ଭଞ୍ଜନଗର ବାସୀ ମାଁ ଙ୍କୁ ବିଦାୟ ଦେବେ ।ପୁଣି ଦେଖା ହେବ ତିନି ବର୍ଷ ପରେ ।









