ଭଞ୍ଜନଗର -(ରିପୋର୍ଟ -ମାଗୁଣି ମିଶ୍ର ) : ଭଞ୍ଜନଗର ଠାକୁରାଣୀ ଯାତ୍ରା ଶନିବାର ୨୧ ଦିନରେ ପହଞ୍ଚିଛି। ଆଉ ୪ ଦିନ ପରେ ଯାତ୍ରା ଉଦଯାପିତ ହେଵ। ଶନିବାର ସାବିତ୍ରୀ ଅମାବାସ୍ୟା ଥିବାରୁ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିଲେ। ଫଳରେ ମଣ୍ଡପ ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା। ଅନ୍ୟପଟେ ମାନସିକ ବେଶଧାରୀ ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି। ସେମାନେ ବିଭିନ୍ନ ବେଶରେ ଯାତ୍ରାରେ ବୁଲୁଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରଙ୍ଗମଞ୍ଚରେ ବିଶିଷ୍ଟ କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି ଏବଂ ତାଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତିଥି ରୂପେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନୀଳାଞ୍ଚଳ ଖିଲାର, ମୁଦୁଲିପଲ୍ଲୀ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ସ୍ୱାଇଁ, ଜିଲୁଣ୍ଡି ସମିତିସଭ୍ୟ ରଣଜିତ ପ୍ରଧାନ, କୋଷାଧକ୍ଷ ଡି. ମହେଶ୍ୱର ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ। ସୁଶାନ୍ତ ବେହେରା ସଂଯୋଜନା କରିଥିଲେ। ସହ ସଂପାଦକ ସୁବାସ ବରାଡ଼ ଧନ୍ୟବାଦ ଦେଇଥିଲେ। ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ସମ୍ପାଦକ ସୁଧୀର ରଞ୍ଜନ ବେହେରା, ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ।









