ବୁଗୁଡ଼ା- (ରିପୋର୍ଟ -ଡ. କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଅବସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ତଥା ଐତିହାସିକ ଶୈବ ପୀଠ ବୁଦ୍ଧଖୋଲ ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ଦିନେ ଯେଉଁ ମନୋରମ ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା, ତାହା ଆଜି ବିପର୍ଯ୍ୟୟ ଆଡ଼କୁ ଗତି କରୁଛି।
ବର୍ଷ ସାରା ୨୪ ଘଣ୍ଟା ପ୍ରବଳ ବେଗରେ ପ୍ରପାତରୁ ଖସୁଥିବା ମୂଷଳ ଧାରାର ପାଣି ଏବେ ପ୍ରାୟ ଗାୟବ ହୋଇଯାଇଛି। ଗ୍ରୀଷ୍ମ ସମୟରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା (ପିଲାଠାରୁ ବୁଢ଼ା) ଏଠାରେ ଗାଧୋଇବା ସହ ପାଦଦେଶରେ ଥିବା ସ୍ୱିମିଙ୍ଗ ପୁଲରେ ପହଁରା ଶିଖିବାର ମଜା ନେଉଥିଲେ। ମାତ୍ର ବର୍ତ୍ତମାନ ଝରଣାରେ ପୂର୍ବ ଭଳି ପାଣି ନଥିବାରୁ ଜଳପ୍ରପାତରୁ କେବଳ ଗୋଟିଏ ସରୁ ଧାର ଖସୁଛି। ଅନ୍ୟପଟେ, ସ୍ୱିମିଙ୍ଗ ପୁଲରୁ ପାଣି ଲିକ୍ ହେଉଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଫଳରେ ଦୂରଦୂରାନ୍ତରୁ ଆଶା ନେଇ ଆସୁଥିବା ପର୍ଯ୍ୟଟକମାନେ ଘୋର ନିରାଶ ହୋଇ ଫେରୁଛନ୍ତି।
ପାଣିର ଅଭାବ ଯୋଗୁଁ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଜୀବିକା ଉପରେ ପଡ଼ିଛି। ପର୍ଯ୍ୟଟକ ଆସୁନଥିବାରୁ ବେପାର ଆଶାରେ ଦୋକାନ ଖୋଲିଥିବା ସ୍ଥାନୀୟ ବ୍ୟବସାୟୀମାନେ ପ୍ରବଳ କ୍ଷତି ସହୁଛନ୍ତି।
ବୁଦ୍ଧଖୋଲ ପାଦଦେଶରେ ନିର୍ମିତ ଗେଷ୍ଟ ହାଉସ, ବଣଭୋଜି ସ୍ଥଳ ଏବଂ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ କିଛି ବର୍ଷ ତଳେ ମନ୍ଦିର ନିକଟରେ ଝରଣା ପାଣିକୁ ଦୁଇ ଭାଗ କରାଯାଇଥିଲା। ଗୋଟିଏ ଭାଗ ପାଣିକୁ ପାଇପ୍ ଯୋଗେ ତଳକୁ ଅଣାଯାଉଥିବାରୁ ମୂଳ ପ୍ରପାତର ଜଳଧାରା କମିଯାଉଛି। ବିଗତ ୩ ବର୍ଷ ହେବ ବର୍ଷକୁ ପ୍ରାୟ ୪ ମାସ ପ୍ରପାତର ଜଳସ୍ତର ହ୍ରାସ ପାଉଥିବା ବେଳେ, ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ପାଣି ସମ୍ପୂର୍ଣ୍ଣ କମିଯିବା ପରିବେଶବିତମାନଙ୍କୁ ଗଭୀର ଭାବେ ବ୍ୟଥିତ କରିଛି।
ଗେଷ୍ଟ ହାଉସ ଓ ବଣଭୋଜି ପାଇଁ ଝରଣା ପାଣି ଉପରେ ନିର୍ଭର ନକରି, ପାଦଦେଶରେ ବୋରିଂ ଏବଂ ଓଭରହେଡ୍ ଟ୍ୟାଙ୍କ୍ ଜରିଆରେ ବିକଳ୍ପ ଜଳର ବ୍ୟବସ୍ଥା କରାଯାଉ ବୋଲି ପରିବେଶବିତ୍ ମାନେ ପରାମର୍ଶ ଦେଇଛନ୍ତି।
ପ୍ରପାତରୁ ପାଣି ଖସିବା ପରେ ସ୍ୱିମିଙ୍ଗ ପୁଲକୁ ଯିବା ରାସ୍ତାରେ ମାଟି ଶୋଷି ନେଉଛି। ତେଣୁ ଜଳପ୍ରପାତ ନିକଟରେ ଏକ ସ୍ୱତନ୍ତ୍ର କୁଣ୍ଡ ନିର୍ମାଣ କରାଯାଇ ସେଠାରୁ ପାଇପ୍ ଯୋଗେ ସ୍ୱିମିଙ୍ଗ ପୁଲକୁ ପାଣି ଅଣାଗଲେ ଲୋକେ ଗାଧୋଇବାର ସୁବିଧା ପାଇପାରନ୍ତେ।
ଜନସାଧାରଣଙ୍କ ଦାବି: ବୁଦ୍ଧଖୋଲ ପର୍ଯ୍ୟଟନ କେନ୍ଦ୍ରର ଉନ୍ନୟନ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି, ମାତ୍ର ସଠିକ୍ ଯୋଜନା ଅଭାବରୁ ଏଭଳି ସମସ୍ୟା ଉପୁଜିଛି। ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।









