ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳିତ

ଭଞ୍ଜନଗର-(ରିପୋର୍ଟ -ମାଗୁଣି ମିଶ୍ର): ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସାବିତ୍ରୀ ବ୍ରତ ନିଷ୍ଠା ଓ ପବିତ୍ରତାର ସହ ପାଳନ କରାଯାଇଛି। ଅଦ୍ୟ ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ସାବିତ୍ରୀ ମାନେ ବିଭିନ୍ନ ପ୍ରକାର ଫଳ ଓ ପୂଜା ସାମଗ୍ରୀ ଧରି ମନ୍ଦିର ପ୍ରାଙ୍ଗଣ ଓ ଘର ମଧ୍ୟରେ ମିଳିତ ହୋଇ ବ୍ରାହ୍ମଣ ପୂଜକ ଠାରୁ କଥା ଶୁଣି ଦୀପ ଜାଳି ସତ୍ୟବାନ ମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ।ପୂଜା ଶେଷରେ ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ନିଜ ନିଜର ସ୍ୱାମୀ ଓ ପରିବାର ମଙ୍ଗଳ କାମନା କରିଥିଲେ।ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ମଣ୍ଡପରେ ମଧ୍ୟ ମହିଳାମାନେ ରୁଣ୍ଡ ହୋଇ ସାବିତ୍ରୀ ବ୍ରତ ପାଳନ କରୁଥିବାର ଦେଖା ଦେଇଥିଲା।

 

ବୁଗୁଡ଼ା:(ରିପୋର୍ଟ -କୁମୁଦ ଚନ୍ଦ୍ର ବେହେରା):ପବିତ୍ର ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ବୁଗୁଡ଼ା ଅଞ୍ଚଳର ଘରେ ଘରେ ଏବଂ ବିଭିନ୍ନ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଧବା ନାରୀ ମାନଙ୍କ ପକ୍ଷରୁ ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରାଯାଉଥିବା ବେଳେ ବ୍ରତକାରିଣୀ ମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ନତୁବା ସାମୁହିକ ମନ୍ଦିର କିମ୍ବା ଅନ୍ୟ କୌଣସି ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କୁ ଭକ୍ତିପୂତ ଭାବେ ପୂଜା କରିଥିଲେ।ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କାଟି ଗଣପତି ଘଟ ସ୍ଥାପନା ସାଙ୍ଗକୁ ଶିଳପୁଆକୁ ଜାଲରେ ସ୍ନାନ କରାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ଵାରା ସଜାଇ ଲକ୍ଷ୍ମୀନାରାୟଣ ରୂପେ ସ୍ଥାପନ କରି ଧୂପ,ଦୀପ,ଗନ୍ଧ,ପୁଷ୍ପ ଅର୍ପଣ ପୂର୍ବକ ସାବିତ୍ରୀ ବ୍ରତ ପାଳନ କରିଥିଲେ।ପାଚିଲା ଆମ୍ବ,ପଣସ,ସପୁରୀ, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ଫଳ ଓ ଧୁଆ ମୁଗ ନୈବେଦ୍ୟ ରୂପେ ବଢ଼ାଯାଇ ପୁରୋହିତଙ୍କ ଦ୍ୱାରା ସାବିତ୍ରୀ ବ୍ରତ କଥା ଶ୍ରବଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ବ୍ରତ ପାଳନକାରିଣୀ ମାନେ ଆନନ୍ଦ ମନରେ ପୂଜା ସାରି ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେଇଥିଲେ।

Leave a Reply

Your email address will not be published. Required fields are marked *

और पढ़ें