ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ: ଭକ୍ତିମୟ ପରିବେଶରେ ପାଳିତ ହେଉଛି ନୃସିଂହ ଚତୁର୍ଦ୍ଦଶୀ

ବ୍ୟୁରୋ ରିପୋର୍ଟ

ଅଧର୍ମର ବିନାଶ ଓ ଧର୍ମର ସଂସ୍ଥାପନା ପାଇଁ ସ୍ତମ୍ଭରୁ ଆବିର୍ଭୂତ ହୋଇଥିଲେ ମହାପ୍ରଭୁ ନୃସିଂହ। ଆଜି ସେହି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଏହି ଭୟଙ୍କର ଥୟାପି କରୁଣାମୟ ଅବତାରଙ୍କ ଜନ୍ମୋତ୍ସବକୁ ସାରା ଓଡ଼ିଶାରେ, ବିଶେଷ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାଚୀନ ମନ୍ଦିରରେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଉଛି।

ପୌରାଣିକ ମତ ଅନୁସାରେ, ଅସୁର ରାଜା ହିରଣ୍ୟକଶିପୁ ବ୍ରହ୍ମାଙ୍କଠାରୁ ଅମରତ୍ୱର ବର ପାଇ ନିଜକୁ ଭଗବାନ ବୋଲି ଦାବି କରୁଥିଲା। ମାତ୍ର ତାଙ୍କ ପୁତ୍ର ପ୍ରହ୍ଲାଦ ଥିଲେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ। ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ପାଇଁ ଏବଂ ହିରଣ୍ୟକଶିପୁର ଅତ୍ୟାଚାରରୁ ସଂସାରକୁ ମୁକ୍ତି ଦେବା ପାଇଁ ଭଗବାନ ବିଷ୍ଣୁ ସନ୍ଧ୍ୟା ସମୟରେ ନୃସିଂହ ରୂପ ଧାରଣ କରିଥିଲେ। ସେ ନା ମଣିଷ ଥିଲେ ନା ପଶୁ, ନା ଅସ୍ତ୍ରରେ ବଧ କରିଥିଲେ ନା ଶସ୍ତ୍ରରେ; ବରଂ ନିଜ ନଖ ସାହାଯ୍ୟରେ ଅସୁରର ବକ୍ଷ ବିଦାରଣ କରି ଧର୍ମର ଜୟଗାନ କରିଥିଲେ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ସାହ ବିଭିନ୍ନ ନୃସିଂହ ମନ୍ଦିର ଓ ମଠମାନଙ୍କରେ ସକାଳୁ ସ୍ଵତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି।

ପ୍ରଭୁଙ୍କୁ ବିଭିନ୍ନ ସୁବାସିତ ଜଳ ଓ ପଞ୍ଚାମୃତରେ ସ୍ନାନ କରାଯାଇ ନୂତନ ବସ୍ତ୍ର ଓ ପୁଷ୍ପରେ ସଜ୍ଜିତ କରାଯାଇଛି।

ଆଜିର ଦିନରେ ପ୍ରଭୁଙ୍କୁ ‘ପଣା’ ଓ ବିଭିନ୍ନ ଶୁଖିଲା ଭୋଗ ଅର୍ପଣ କରାଯିବାର ପରମ୍ପରା ରହିଛି ।

ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଆଜି ପାରମ୍ପରିକ ‘ନୃସିଂହ ନାଟ’ ବା ‘ପ୍ରହ୍ଲାଦ ନାଟକ’ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଯାହା ଶ୍ରଦ୍ଧାଳୁଙ୍କୁ ଭକ୍ତି ରସରେ ବୁଡ଼ାଇ ରଖିବ।

ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ବ୍ରତ ରଖିବା ସହ ମନ୍ଦିର ଦର୍ଶନ କରି ଦୀପ ଦାନ କରୁଛନ୍ତି। ବିଶେଷ କରି ବିପଦରୁ ରକ୍ଷା ପାଇବା ପାଇଁ ଏବଂ ଶତ୍ରୁ ନାଶ ପାଇଁ ନୃସିଂହ କବଚ ପାଠ କରାଯାଉଛି। ସମଗ୍ର ବିଶ୍ଵରୁ ଅଶାନ୍ତି ଓ କଷ୍ଟ ଦୂର ହୋଇ ମଙ୍ଗଳ ବିଧାନ ହେଉ, ଏହାହିଁ ପ୍ରଭୁଙ୍କ ନିକଟରେ ସାଧାରଣ ଜନତାଙ୍କ ମିଳିତ ପ୍ରାର୍ଥନା।

Leave a Reply

Your email address will not be published. Required fields are marked *

और पढ़ें