ରିପୋର୍ଟ -ମାଗୁଣି ମିଶ୍ର

ଭଞ୍ଜନଗର – ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରାର ଦ୍ୱତୀୟ ସନ୍ଧ୍ୟା ବୁଧବାରରେ ନଗର ପରିକ୍ରମା ଧୂମଧାମରେ ପାଳିତ ହୋଇଛି। ଗୁରବାର ମା ‘ଙ୍କ ବିଶ୍ରାମ ଦିବସ ଅବସରରେ ଉଦଘାଟିତ ହେବ କବି ସମ୍ରାଟ ରଙ୍ଗମଞ୍ଚ। ସାଂକୃତିକ କାର୍ଯ୍ୟକ୍ରମରେ ଜଗନ୍ନାଥ ଧାମ ପୁରୀର କୈବଲ୍ୟ ଭଜନ ମଞ୍ଚ ପକ୍ଷରୁ ଭଜନ ଜଣାଣ ହେବ। ପୁରୀ ରଘୁରାଜପୁରର ଅନ୍ତଃରାଷ୍ଟୀୟ ଖ୍ୟାତିସମ୍ପନ ଦଶଭୁଜା ଗୋଟିପୁଅ ନୃତ୍ୟ ମଧ୍ୟ ପରିବେଶିତ ହେବ। ବୁଧବାର ଦ୍ୱତୀୟ ସନ୍ଧ୍ୟାରେ ଦେବୀ ଠାକୁରାଣୀ ଓ ମା ‘ବ୍ୟାଘ୍ରଦେବୀ ଗମ୍ଭୀରାରୁ ବାହାରି ମୁଖ୍ୟ ରାସ୍ତାରେ ପୂର୍ବ ପଟେ ଯାଇ ସେଠାରୁ ୟୁନିଅନ ବ୍ୟାଙ୍କ ଛକରୁ ମୋଡ଼ ବଦଳାଇ ଅପର ପାର୍ଶ୍ୱରେ ଯାଇ ସେଠାରୁ ରେଡ଼କ୍ରସ ରାସ୍ତାରେ ପାତ୍ର କଲୋନୀ ଛକ ଯାଏଁ ଯାଇଥିଲେ। ସେଠାରୁ ଶ୍ରୀ ଜଗନ୍ନାଥ ହଲ ଓ ରିସର୍ଟସ ସମ୍ମୁଖରେ ପୂଜା ଗ୍ରହଣ କରିଥିଲେ। ପରେ ପୂର୍ବ ମୁଖ ହୋଇ ପୁରୁଣା ପାତ୍ର କଲୋନୀ ଅତିକ୍ରମ କରି ଶିଶୁ ଉଦ୍ୟାନ ଛକକୁ ଆସି ସେଠାରୁ ଉତ୍ତର ମୁଖ ହୋଇ ୟୁବି ହାଇସ୍କୁଲ ଛକରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଯାଏଁ ଭ୍ରମଣ କରିଥିଲେ। ସେଠାରୁ ଉଭୟ ଦେବୀ ଦକ୍ଷିଣ ମୁଖ ହୋଇ ମୁଖ୍ୟ ରାସ୍ତାରେ ଯାଇ ବିଳମ୍ବିତ ରାତିରେ ଗମ୍ଭୀରାରେ ପ୍ରବେଶ କରି ଭୋଗ ଗ୍ରହଣ ସହ ଆଳତି ପରେ ବିଶ୍ରାମ ନେଇଥିଲେ।









