ବେଲଗୁଣ୍ଠାରେ ପିତୃ ଦିବସ ପାଳିତ

ବେଲଗୁଣ୍ଠା: ବେଲଗୁଣ୍ଠାରେ ପବିତ୍ର ପିତୃ ଦିବସ ପାଳିତ ହୋଇଯାଇଛି। ରବିବାର ସନ୍ଧ୍ୟାରେ ବେଲଗୁଣ୍ଠା ବଡ଼ ଦାଣ୍ଡରେ ଜୟ ଜଗନ୍ନାଥ ଭଜନ ମଣ୍ଡଳୀ ଆନୁକୁଲ୍ୟରେ ଏକ ଭଜନ ସନ୍ଧ୍ୟା ଓ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧର ଡାକୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ୟାମ ସୁନ୍ଦର ପଣ୍ଡା ଯୋଗ ଦେଇଥିବା ବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ରାମକୃଷ୍ଣ ପତି, ବିଶିଷ୍ଟ ସାହିତ୍ୟିକ ମୋତିଲାଲ୍ ପତି, ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର ନାଥ ରଥ, ପବିତ୍ର କୁମାର୍ ସାହୁ, ନାଗେଶ୍ଵର ପାତ୍ର, ବସନ୍ତ କୁମାର ସାହାଣୀ ଏବଂ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ।।

ଏହି ଅବସରରେ ଅତିଥିମାନେ ପିତାଙ୍କ ମହତ୍ତ୍ଵ ଉପରେ ଆଲୋକପାତ କରି କହିଥିଲେ ଯେ, ପିତା ହେଉଛନ୍ତି ପରିବାରର ସେହି ଦୃଢ଼ ସ୍ତମ୍ଭ ଯିଏ ନିଜ ସୁଖ-ଶାନ୍ତିକୁ ଜଳାଞ୍ଜଳି ଦେଇ ସନ୍ତାନର ଭବିଷ୍ୟତ ଗଢ଼ିଥାନ୍ତି। ସନ୍ତାନ ପାଇଁ ମା’ ଯଦି ସ୍ନେହ-ମମତାର ସାଗର, ତେବେ ପିତା ହେଉଛନ୍ତି ସୁରକ୍ଷାର ସେହି ବିଶାଳ ଆକାଶ ଯାହା ଛାୟାତଳେ ସମ୍ପୂର୍ଣ୍ଣ ପରିବାର ସୁରକ୍ଷିତ ରହିଥାଏ।

ଏହି ଅବସରରେ ସଭାରେ ଉପସ୍ଥିତ ଥିବା ସମସ୍ତ ପିତୃ ମଣ୍ଡଳୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହା ସହ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଗୁରୁଙ୍କ ସମେତ ସମସ୍ତ ପିତୃ ମଣ୍ଡଳୀଙ୍କ ପାଦ ଛୁଇଁ ସମସ୍ତେ ଆଶୀର୍ବାଦ ଗ୍ରହଣ କରିଥିଲେ। ସମାଜରେ ପିତାଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *

और पढ़ें