ବେଲଗୁଣ୍ଠାରେ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ପଡ଼ିଆରେ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନିଆଯାଇଥିବା ବହୁ ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବର୍ତ୍ତମାନର ମୋହନ ସରକାର ରାଜ୍ୟରେ ଜନକଲ୍ୟାଣକାରୀ ପ୍ରୟାସ ଜାରି ରଖିଥିବା ପ୍ରକାଶ କରିବା ସହ ବିଧାୟକ ଶ୍ରୀ ବିଷୋୟୀ ସୂଚନା ଦେଇଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ବେଲଗୁଣ୍ଠା ବ୍ଳକ୍‌ରେ ୧୭୩୨ ଜଣଙ୍କୁ ମଧୁବାବୁ ପେନସନ ଓ ୮୧୪ ଜଣଙ୍କୁ ରାସନ୍ କାର୍ଡ ପ୍ରଦାନ କରାଯାଇଛି। ଏଥିସହିତ ବର୍ତ୍ତମାନ ବ୍ଲକରେ ପ୍ରାୟ ୪୦ କିଲୋମିଟର ରାସ୍ତା ସଂଯୋଗୀକରଣ କରୁଥିବା ୮ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟ ଜାରି ରହିଛି, ଯାହାଦ୍ୱାରା ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସିଧାସଳଖ ଉପକୃତ ହୋଇପାରିବେ।

ଏହି ସରକାରୀ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଯୋଜନାରେ ଅନେକ ହିତାଧିକାରୀଙ୍କୁ ସହାୟତା ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ୨୫ ଜଣଙ୍କୁ ନୂତନ ରାସନ୍ କାର୍ଡ, ୨୨ ଜଣଙ୍କୁ ‘ଅନ୍ତୋଦୟ ଗୃହ ଯୋଜନା’ର କାର୍ଯ୍ୟାଦେଶ ଏବଂ ୨୭ ଜଣଙ୍କୁ ମଧୁବାବୁ ପେନସନ ଭତ୍ତା ପ୍ରଦାନ କରାଯାଇଥିଲା। ଏହା ସହିତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୩୭ଟି ବିଦ୍ୟାଳୟର ସ୍ଥାୟୀ ପଟ୍ଟା ବଣ୍ଟନ କରାଯିବା ସହ, ସରକାରଙ୍କ ତରଫରୁ ୧୪ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ୍ ଫୋନ୍ ପ୍ରଦାନ କରାଯାଇଥିଲା। ଏସଆଇଆର୍ (SIR) କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିବାରୁ ବ୍ଲକର ୧୨ ଜଣ ବିଏଲ୍ଓ (BLO) ସୁପରଭାଇଜର୍‌ଙ୍କୁ ମଧ୍ୟ ଏହି ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଜନସାଧାରଣଙ୍କ ସୁବିଧା ଓ ସଚେତନତା ପାଇଁ କାର୍ଯ୍ୟକ୍ରମ ପରିସରରେ ସରକାରଙ୍କ ଉଦ୍ୟାନ ଓ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ପଞ୍ଚାୟତିରାଜ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ କର୍ମ ନିୟୋଜନ ବିଭାଗ ତରଫରୁ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍‌ମାନ ଖୋଲାଯାଇଥିଲା। ବିଶେଷ କରି ଆସନ୍ତା ଜୁଲାଇ ମାସରୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ସକାଳ ଜଳଖିଆ ସୂଚୀରେ ପରିବର୍ତ୍ତନ ହେବାକୁ ଥିବାରୁ, ଅଙ୍ଗନୱାଡ଼ି କର୍ମୀମାନଙ୍କ ଦ୍ୱାରା ଗର୍ଭବତୀ ମାଆ ଏବଂ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ପୁଷ୍ଟିକର ଖାଦ୍ୟର ଏକ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।

ଆଜିର ଏହି ଭବ୍ୟ ସମାରୋହକୁ ବେଲଗୁଣ୍ଠା ବିପିସି ଦେବାଶିଷ ସାହୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସିଙ୍ଗାପୁର ହରି ସ୍ବାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଯୋଗ ଦେଇଥିବା ବେଳେ ଏବିଡିଓ ସନ୍ତୋଷ ମନ୍ତ୍ରୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ନଳିନୀ ମହାରଣା, ବିଭିଓ କାର୍ତ୍ତିକେଶ୍ୱର୍ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ବ୍ଲକର ବିଭିନ୍ନ କର୍ମଚାରୀ, ସମସ୍ତ ସରପଞ୍ଚ, ସମିତିସଭ୍ୟ, ବହୁ ସଂଖ୍ୟାରେ ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें