୩୪ ବର୍ଷର ପ୍ରତୀକ୍ଷାର ଅନ୍ତ: ତ୍ରିବେଣୀ ସଙ୍ଗମରେ ଗଡ଼ିବ ମହାପ୍ରଭୁଙ୍କ ଭବ୍ୟ ରଥ

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପବିତ୍ର ତ୍ରିବେଣୀ ସଙ୍ଗମରେ ପୂଜା ପାଉଥିବା ଆରାଧ୍ୟ ଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଦୀର୍ଘ ୩୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ବିଗତ ବର୍ଷଗୁଡ଼ିକରେ ଏଠାରେ ରଥ ନଥିବା ବେଳେ, ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରାକୁ ବେଶ୍ ଧୂମଧାମରେ ପାଳନ କରିବା ପାଇଁ ଏକ ଭବ୍ୟ ରଥ ନିର୍ମାଣ କରାଯାଇଛି। ଏହି ରଥ ନିର୍ମାଣ କାର୍ଯ୍ୟକୁ ଅନ୍ତିମ ସ୍ପର୍ଶ ଦେବା ସହ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ କିଛି ରଥ କାଠ ଓ ପବିତ୍ର ଧ୍ଵଜା ଯୋଗାଇ ଦେବାକୁ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ବିଧିବଦ୍ଧ ଭାବେ ନିବେଦନ କରିଥିଲେ।

ସରପଞ୍ଚଙ୍କ ନିବେଦନକୁ ରକ୍ଷା କରି ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଜି ସମସ୍ତ ଆବଶ୍ୟକୀୟ ରଥ ଉପକରଣ ଯୋଗାଇ ଦିଆଯାଇଛି। ତ୍ରିବେଣୀ ଆଶ୍ରମର ଜଗନ୍ନାଥଙ୍କ ରଥ ଏବଂ ବେଣୀପଲ୍ଲୀ ସ୍ଥିତ ଗୋପୀନାଥ ସ୍ଵାମୀଙ୍କ ନୂତନ ରଥ ନିମନ୍ତେ ପବିତ୍ର ଧ୍ଵଜା, ରଥ କାଠ ଏବଂ ଶ୍ରୀମନ୍ଦିରର ଅମୃତ ମଣୋହି ‘ନିର୍ମାଲ୍ୟ’ ପ୍ରଦାନ କରାଯାଇଛି। ଆଜି ଏହି ସମସ୍ତ ଦେବୋପଚାର ସାମଗ୍ରୀକୁ ସ୍ବସ୍ତି ସୁନ୍ଦର ସିଅ ସାଦରେ ଗ୍ରହଣ କରି ସମ୍ପୃକ୍ତ ମନ୍ଦିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ମହତ କାର୍ଯ୍ୟ ପାଇଁ ତ୍ରିବେଣୀ ଆଶ୍ରମର ସନ୍ନ୍ୟାସୀ ମହନ୍ତ ଚିଦାନନ୍ଦ ସ୍ବାମୀ ମହାରାଜ ଏବଂ ମଦନ ଦାସ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି।

ପୁରୀରୁ ଏହି ପବିତ୍ର ରଥ ସାମଗ୍ରୀ ପହଞ୍ଚିବା ପରେ ସମଗ୍ର ମାଧବରୀଡା ଏବଂ ବେଣୀପଲ୍ଲୀ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସହ ଖୁସିର ଲହରୀ ଖେଳିଯାଇଛି। ଆସନ୍ତା ରଥଯାତ୍ରାକୁ ସ୍ମରଣୀୟ ଓ ଏକ ଭବ୍ୟ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସଂକଳ୍ପ କରିଛନ୍ତି। ଏହି ସମଗ୍ର ଆୟୋଜନକୁ ସଫଳ କରିବା ପାଇଁ ଅଞ୍ଚଳର ଉତ୍ସାହୀ ଯୁବଗୋଷ୍ଠୀ ତଥା ଶ୍ରୀକାନ୍ତ ଡାକୁଆ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ମନୋଜ, କାହ୍ନୁ, ନିରଞ୍ଜନ, ସୁରେଶ ଓ ମୃତ୍ୟଞ୍ଜୟ ପ୍ରମୁଖ ସକ୍ରିୟ ଭାବେ ସହଯୋଗର ହାତ ବଢ଼ାଉଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें