ଗଞ୍ଜାମରେ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ! :ଭଞ୍ଜନଗର ପୌରାଧ୍ୟକ୍ଷଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼, ସହରରେ ଆତଙ୍କ !

ଭଞ୍ଜନଗର:ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗଞ୍ଜାମ ଜିଲ୍ଲାରେ ଅପରାଧୀମାନେ ସୀମା ପାର କରିଥିବା ବେଳେ ପୋଲିସର କଡ଼ା ଆଭିମୁଖ୍ୟ ଓ ଦୁଇ ଦୁଇଟି ଏନକାଉଣ୍ଟର ସତ୍ତ୍ୱେ ସେମାନଙ୍କ ମନରେ କୌଣସି ଭୟ ନଥିବା ପ୍ରମାଣିତ ହୋଇଛି।ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ଥାନା ପଛପଟେ ଥିବା ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନକୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଛି।

ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ସହରରେ ଏବେ ତୀବ୍ର ଆତଙ୍କ ଓ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨.୩୦ ସମୟରେ ଏକ ମୋଟର ସାଇକେଲରେ ଦୁର୍ବୃତ୍ତ ମାନେ ଆସି ପୌରାଧ୍ୟକ୍ଷଙ୍କ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଅଟକିଥିଲେ। ସେଠାରୁ ସେମାନେ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ପବନ ବେଗରେ ଫେରାର ହୋଇଯାଇଥିଲେ। ନିକ୍ଷେପ କରାଯାଇଥିବା ବୋମାଟି ପୌରାଧ୍ୟକ୍ଷଙ୍କ ଗ୍ୟାରେଜ୍ ଘର ଉପରେ ପଡ଼ି ବିସ୍ଫୋରଣ ହୋଇଥିଲା। ବିକଟାଳ ଶବ୍ଦ ଶୁଣି ପରିବାର ଲୋକେ ଆତଙ୍କିତ ହୋଇପଡ଼ିଥିଲେ ଏବଂ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ସୌଭାଗ୍ୟବଶତଃ ସେହି ସମୟରେ ପୌରାଧ୍ୟକ୍ଷ ଘରେ ନଥିଲେ ମଧ୍ୟ ତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ବୋମା ମାଡ଼ରେ କାହାରି କୌଣସି ପ୍ରାଣହାନି ବା ଆହତ ହେବାର ସୂଚନା ନାହିଁ।ପ୍ରାଥମିକ ଆକଳନ ଅନୁସାରେ ପୂର୍ବ ଶତ୍ରୁତାରୁ ହିଁ ଏହି ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।
ଗତ ୧୭ ତାରିଖରେ ଭଞ୍ଜନଗର ମ୍ୟୁନିସିପାଲଟି ପକ୍ଷରୁ ଐତିହାସିକ ଠାକୁରାଣୀ ଯାତ୍ରାରେ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହି ଦିନ ସହରରେ ପ୍ରବଳ ଭିଡ଼ ଥିବା ବେଳେ ଦୁଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ଗଣ୍ଡଗୋଳ ଓ ହିଂସାତ୍ମକ ଆକ୍ରମଣ ହୋଇଥିଲା। ଏଥିରେ କିଛି ଯୁବକ ଆହତ ହୋଇଥିଲେ।ଏହି ଘଟଣାରେ ଥାନାରେ ଉଭୟ ପକ୍ଷରୁ ୩ଟି ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ। ଆଶଙ୍କା କରାଯାଉଛି ଯେ, ଉକ୍ତ ବିବାଦକୁ ନେଇ ପୌରାଧ୍ୟକ୍ଷଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ହିଁ ଅପରାଧୀମାନେ ଏଭଳି ଚରମ ପନ୍ଥା ଆପଣାଇଥିବା ନେଇ ସନ୍ଦେହ କରାଯାଉଛି।ଘଟଣା ସ୍ଥଳରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଏକ ସ୍ପେଶାଲ ପୋଲିସ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।           ପୌରାଧ୍ୟକ୍ଷଙ୍କ ଘର ସମ୍ମୁଖରେ ଏବଂ ସହରର ବିଭିନ୍ନ ପ୍ରବେଶ ପଥରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଜବତ କରି ଅପରାଧୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଅଧିକ ସୂକ୍ଷ୍ମ ତଦନ୍ତ ଓ ପ୍ରମାଣ ସଂଗ୍ରହ ପାଇଁ ଛତ୍ରପୁରରୁ ଏକ ବିଶେଷ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ସୂଚନା ମିଳିଛି।ଘଟଣାର ସମ୍ପୂର୍ଣ୍ଣ ଦିଗକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଆଇନ ସମସ୍ତଙ୍କ ପାଇଁ ସମାନ। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ଏବଂ ସହରରେ ଶାନ୍ତି ରକ୍ଷା ପାଇଁ ପୋଲିସ ସଜାଗ ଅଛି ବୋଲି ଥାନାଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ, ଯେଉଁଠି ଖୋଦ୍ ଜନପ୍ରତିନିଧି ସୁରକ୍ଷିତ ନୁହଁନ୍ତି ସେଇଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ଆଲୋଚନା ହେଉଛି ????

Leave a Reply

Your email address will not be published. Required fields are marked *

और पढ़ें