ଅସହ୍ୟ ଖରା ଓ ତତିରେ ଜଳୁଛି ସାରା ଅଞ୍ଚଳ: ତାପମାତ୍ରା ୪୦ ଡିଗ୍ରୀ ପାର୍, ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ: କଟା ଘାରେ ଚୂନ ଦେଉଛି ଘନ ଘନ ବିଦ୍ୟୁତ କାଟ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ   ସୂର୍ଯ୍ୟଙ୍କ ପ୍ରକୋପ ସୀମା ପାର୍ କରିଛି। ଗତ କିଛି ଦିନ ହେବ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ବାଜୁ ନବାଜୁଣୁ ଆକାଶରୁ ନିଆଁ ବର୍ଷିଲା ଭଳି ଅନୁଭୂତ ହେଉଛି ଏବଂ ଦ୍ୱିପ୍ରହର ବେଳକୁ ରାସ୍ତାଘାଟ ଶୂନଶାନ ହୋଇଯାଉଛି।

ପ୍ରଚଣ୍ଡ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ବିଶେଷ କରି ଦିନମଜୁରିଆ, ଛୋଟ ବ୍ୟବସାୟୀ ଏବଂ ପଥିକମାନେ ଏହି ବାହ୍ୟ ତାପମାତ୍ରା ଯୋଗୁଁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଖରା ଯୋଗୁଁ ବଜାର ଘାଟରେ ଗ୍ରାହକଙ୍କ ସଂଖ୍ୟା କମିଯାଇଛି, ଯାହାଦ୍ୱାରା ସ୍ଥାନୀୟ ବ୍ୟବସାୟ ମଧ୍ୟ ମନ୍ଦା ହେବାରେ ଲାଗିଛି। ଏହା ସହିତ ଅଞ୍ଚଳରେ ଘନ ଘନ ବିଦ୍ୟୁତ କାଟ ଲୋକଙ୍କ କଟା ଘାରେ ଚୂନ ଦେବା ସଦୃଶ ହୋଇଛି। ପ୍ରଚଣ୍ଡ ତତିରୁ ରକ୍ଷା ପାଇବା ପାଇଁ ପଙ୍ଖା କୁଲର ସାହାରା ନେଉଥିବା ବେଳେ ବାରମ୍ବାର ପାୱାର କଟ୍ ଯୋଗୁଁ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଘରେ ଛୋଟ ପିଲା,ବୟସ୍କ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ତ୍ରାହି ପାଇବା ପାଇଁ ଲୋକେ ପଇଡ଼ ପାଣି, ଲସି, ଆଖୁ ରସ ଏବଂ ଦହିପାଣି ଦୋକାନରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବା ସମ୍ଭାବନା ଥିବାରୁ ଜରୁରୀ କାମ ନଥିଲେ ମଧ୍ୟାହ୍ନ ସମୟରେ ଘରୁ ନବାହାରିବାକୁ ଏବଂ ପ୍ରଚୁର ପରିମାଣରେ ପାଣି ଓ ତରଳ ପଦାର୍ଥ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

और पढ़ें