ପ୍ରଶାସନ ବନ୍ଦ କରୁ, ନହେଲେ ଆମେ ବନ୍ଦ କରିବୁ” ଗାଁକୁ ମଦମୁକ୍ତ କରିବାକୁ ରାଜରାସ୍ତାରେ ମହିଳା; ଶେଷରେ ମଦ ଦୋକାନରେ ତାଲା ଝୁଲାଇଲା ଅବକାରୀ ବିଭାଗ

ରିପୋର୍ଟ-କୁମୁଦ ଚନ୍ଦ୍ର ବେହେରା, ବୁଗୁଡ଼ା

ପ୍ରଶାସନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରୁ, ନହେଲେ ଆମେ ନିଜେ ବନ୍ଦ କରିବୁ” — ମହିଳା ଶକ୍ତିର ଏଭଳି ଦୃଢ଼ ଚେତାବନୀ ଆଗରେ ନଇଁଛି ପ୍ରଶାସନ। ଗାଁକୁ ମଦମୁକ୍ତ କରିବା ପାଇଁ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବନ୍ଦ କରି ଦେଖାଇବୁ ବୋଲି ଜିଦ୍‌ ଧରିବା ଫଳରେ, ଅବକାରୀ ବିଭାଗ ମଦ ଦୋକାନରେ ତାଲା ଝୁଲାଇବାକୁ ବାଧ୍ୟ ହୋଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମରେ ମହିଳାମାନଙ୍କ ଏଭଳି ସାହସିକ ପ୍ରୟାସ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଦ୍ଧିଜୀବୀ ଓ ବିଭିନ୍ନ ନିଶା ବିରୋଧୀ ସଂଗଠନ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

🛑 କାହିଁକି ଆନ୍ଦୋଳନକୁ ଓହ୍ଲାଇଲେ ମହିଳା?

କରସିଙ୍ଗି ଗାଁରେ ଦୁଇଟି ମଦ ଦୋକାନ (ଗୋଟିଏ ଦେଶୀ ଓ ଗୋଟିଏ ବିଦେଶୀ) ଥିବାରୁ ଦିନରାତି ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିଲା। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲା:

ଅସାମାଜିକଙ୍କ ଭୟରେ ଛାତ୍ରୀମାନେ ସ୍କୁଲ ଓ ଟ୍ୟୁସନ ଯିବାକୁ ଭୟ କରୁଥିଲେ ଏବଂ ଅଭିଭାବକମାନେ ଅସୁରକ୍ଷିତ ମଣୁଥିଲେ। ଗାଁର ଯୁବକମାନେ ନିଶା ପ୍ରତି ଆସକ୍ତ ହୋଇ ପଥଭ୍ରଷ୍ଟ ହେଉଥିଲେ। ପ୍ରତି ଘରେ ଘରେ ମଦ ପାଇଁ ଗଣ୍ଡଗୋଳ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିଲା।

ଗାଁରେ ଶାନ୍ତି ପ୍ରତିଷ୍ଠା ଏବଂ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଆଜି ମହିଳାମାନେ ଏକଜୁଟ ହୋଇ ମେଳି ବାନ୍ଧିଥିଲେ। ଉଭୟ ଦେଶୀ ଓ ବିଦେଶୀ ମଦ ଦୋକାନ ଆଗରେ ଜୋରଦାର ହୋହଲ୍ଲା କରିବା ସହ ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ଅଡ଼ି ବସିଥିଲେ।

ଘଟଣାସ୍ଥଳରେ ଭଞ୍ଜନଗର ଉପଖଣ୍ଡ ଅବକାରୀ ଅଧିକାରୀ ପ୍ରଦୀପ ମହାନ୍ତି ଓ ବୁଗୁଡ଼ା ଅବକାରୀ ଥାନାଧିକାରୀ ଜ୍ୟୋତିରଞ୍ଜନ ସେନାପତି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେ ଜିଦ୍‌ ଧରିଥିଲେ।

ପରିସ୍ଥିତିକୁ ଦେଖି ଅବକାରୀ ଅଧିକାରୀ ମଦ ଦୋକାନୀଙ୍କୁ ତାଲା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଦୋକାନକୁ ସମ୍ପୂର୍ଣ୍ଣ ଭାବେ (ସ୍ଥାୟୀ ଭାବେ) ଉଠାଇବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି।

ସାମୟିକ ଭାବେ ଦୋକାନ ବନ୍ଦ ହୋଇଥିଲେ ମଧ୍ୟ ମହିଳାମାନଙ୍କ ଆକ୍ରୋଶ କମିନାହିଁ। ଆଗାମୀ ଦିନରେ ଯଦି ଏହି ମଦ ଦୋକାନ ପୁଣିଥରେ ଖୋଲାଯାଏ, ତେବେ ସେଥିରେ ନିଆଁ ଲଗାଇ ଦେବାକୁ ମହିଳାମାନେ ପ୍ରଶାସନ ସମ୍ମୁଖରେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଏହି ଆଭିମୁଖ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ କମ୍ପନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

और पढ़ें