ବେଲଗୁଣ୍ଠା-୧୬/୦୫-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଧୀନସ୍ଥ ନୁଣିପଡ଼ା ଶାସନ ଛକରେ ରହୁଥିବା ନୁଣିପଡ଼ା ଗ୍ରାମର ଶ୍ରୀଧର ଗୌଡଙ୍କ ନଅ ବର୍ଷର ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ଗୌଡ଼ ଓରଫ କୁନ୍ତଳା ଆଜି ସକାଳ ନଅ ଘଣ୍ଟା ସମୟରେ ନିକଟରେ ଥିବା ମିଲ୍ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା।କିନ୍ତୁ ଦଶଟା ହେଲାପରେ ମଧ୍ୟ ସେ ଘରକୁ ନଆସିବାରୁ ତାର ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ ହିଡରେ ତାର ପୋଷାକ ଥିବାରୁ ସେ ପୋଖରୀକୁ ଗାଧୋଇବାକୁ ଆସିଥିବା ଜାଣିପାରି ସ୍ଥାନୀୟ ଲୋକେ ପୋଖରୀ ଭିତରେ ଖୋଜାଖୋଜି କରିଥିଲେ।ପରେ ମୂମୂର୍ଷୁ ଅବସ୍ଥାରେ ଲକ୍ଷ୍ମୀକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ଲକ୍ଷ୍ମୀକୁ ମୃତ ଘୋଷଣା କରିଥିଲେ।ଖବର ପାଇ ଗାଙ୍ଗପୁର ପୋଲିସ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି କୁନ୍ତଳାର ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରୁଜ୍ଜୁ କରି ସେଠାରେ ତାର ଶବକୁ ବ୍ୟବଚ୍ଛେଦ କରାଇ ପରିବାରକୁ ଶବ ହସ୍ତାନ୍ତର କରିଥିଲେ।ଲକ୍ଷ୍ମୀର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାର ପରିବାରକୁ ଆର୍ଥିକ ସହଯୋଗ ଯୋଗାଇଦେବା ପାଇଁ ଶାସନର ପୂର୍ବତନ ସରପଂଚ ସଞ୍ଜୟ ପ୍ରଧାନ ଦାବି କରିଛନ୍ତି।









