ଉପସାଗରୀୟ ଯୁଦ୍ଧର ପ୍ରଭାବ: ଗଞ୍ଜାମ ଜିଲ୍ଲାରେ ତୀବ୍ର ପେଟ୍ରୋଲ ଓ ଡିଜେଲ ସଙ୍କଟ, ଅଧିକାଂଶ ପମ୍ପରେ ଝୁଲୁଛି ତାଲା

ରିପୋର୍ଟ -ଶିବରାମ ଚୌଧୁରୀ 

ରିପୋର୍ଟ -ମାଧବ ବେହେରା, ଖଲିକୋଟ 

 

ଭଞ୍ଜନଗର/ଖଲିକୋଟ:ମଧ୍ୟ ପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ଏବେ ସାରା ବିଶ୍ୱରେ ଅଶୋଧିତ ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇଛି। ଏହାର ସିଧାସଳଖ ପ୍ରଭାବ ଏବେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ଆବଶ୍ୟକ ପରିମାଣର ତେଲ ମିଳୁନଥିବାରୁ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ସମେତ ଖଲ୍ଲିକୋଟ, କୋଦଳା ଓ ପୋଲସରା ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ୨୪ ଘଣ୍ଟା ନପୂରୁଣୁ ଅଧିକାଂଶ ପେଟ୍ରୋଲ ପମ୍ପରେ ତାଳା ଝୁଲୁଥିବା ବେଳେ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭଞ୍ଜନଗର ଉପଖଣ୍ଡର ଭଞ୍ଜନଗରରେ ୮ଟି, ଆସିକାରେ ୪ଟି, ବୁଗୁଡାରେ ୬ଟି, ବେଲଗୁଣ୍ଠାରେ ୩ଟି, ଶେରଗଡ଼ରେ ୩ଟି, ସୋରଡ଼ାରେ ୫ଟି, ଜଗନ୍ନାଥପ୍ରସାଦରେ ୪ଟି ଓ ଧରାକୋଟରେ ୩ଟି କୁ ମିଶାଇ ମୋଟ ୩୬ ଟି ପେଟ୍ରୋଲ ପମ୍ପ୍ ରହିଛି। ଏହି ପମ୍ପଗୁଡ଼ିକୁ ବିଶେଷକରି ପାରାଦ୍ଵୀପ ଓ ଝାରସୁଗୁଡ଼ାର ଡିପୋରୁ ତେଲ ଆସିଥାଏ। କିନ୍ତୁ ଯୁଦ୍ଧ ପ୍ରଭାବରେ ଏଲ୍‌ପିଜି ପରେ ଏବେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପେଟ୍ରୋଲ ପମ୍ପ ମାଲିକଙ୍କ କହିବା ଅନୁସାରେ, ଦୈନିକ ୨୦ ହଜାର ଲିଟର ଚାହିଦା ଥିବାବେଳେ ମାତ୍ର ୧୦ ରୁ ୧୫ ହଜାର ଲିଟର ତେଲ ଦୁଇ ଦିନରେ ଥରେ ମିଳୁଛି।

ଯେଉଁ ପମ୍ପଗୁଡ଼ିକ ଖୋଲା ରହିଛି, ସେଠାରେ ତେଲ ବିକ୍ରି ଉପରେ କଟକଣା ଲଗାଯାଇଛି। ଅନେକ ସ୍ଥାନରେ ମାତ୍ର ୨୦୦ ରୁ ୩୦୦ ଟଙ୍କାର ତେଲ ଦିଆଯାଉଥିବାରୁ ଗାଡ଼ି ଚାଳକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡିଜେଲ ଅଭାବ ଯୋଗୁଁ ଅଟୋ ଚାଳକମାନେ ନିରାଶ ହୋଇ ଫେରୁଥିବା ବେଳେ ଆଗକୁ ଲକ୍ଷ୍ମୀ ବସ ସେବା, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ପରି ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।

ତେଲ ଓ ଗ୍ୟାସ ସଙ୍କଟ ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳରେ ନିଆଁ ଲାଗିଛି। ଗ୍ୟାସ ସଙ୍କଟ ଯୋଗୁଁ ଅନେକ ହୋଟେଲ ଓ ଜଳଖିଆ ଦୋକାନୀ ବ୍ୟବସାୟ ହରାଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। କେତେକ ବ୍ୟବସାୟୀ କଳାବଜାରରେ ଗ୍ୟାସ କିଣି ବ୍ୟବସାୟ କରୁଥିବାରୁ ଖାଦ୍ୟ ଦ୍ରବ୍ୟର ଦର ବୃଦ୍ଧି କରିଛନ୍ତି। ଆସନ୍ତା ସାବିତ୍ରୀ ବ୍ରତ ପୂର୍ବରୁ ବଜାରରେ ଫଳମୂଳ, ଶାଢ଼ୀ ଓ ଚୁଡ଼ିର ଦର ଅହେତୁକ ଭାବେ ବୃଦ୍ଧି ପାଇଲାଣି।

ପ୍ରଧାନମନ୍ତ୍ରୀଙ୍କ ମିତବ୍ୟୟୀ ଓ ସଂଯମତା ରକ୍ଷା କରିବା ପରାମର୍ଶକୁ ନେଇ ବୁଦ୍ଧିଜୀବୀ ଓ ମହିଳା ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗକୁ ସ୍ଥିତି ଆହୁରି ଜଟିଳ ହେବା ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

और पढ़ें