ବନବାସୀଙ୍କୁ ରୋଜଗାର ଦେଉଛି ଆମ୍ବ: ଜଙ୍ଗଲଜାତ ଦ୍ରବ୍ୟ ସାଜିଛି ଜୀବିକାର ମାଧ୍ୟମ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର- ଋତୁକାଳୀନ ଆମ୍ବ ବନବାସୀଙ୍କୁ ରୋଜଗାର ଯୋଗାଉଛି ବଣପାହାଡ ଘେରା କନ୍ଧମାଳ ଓ ନୟାଗଡ ଜିଲ୍ଲା ସୀମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରଡ଼ା, ଜଗନ୍ନାଥପ୍ରସାଦ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲରୁ ଆମ୍ବ ସଂଗ୍ରହ କରି ଆମ୍ବୁଲ ତିଆରି କରୁଛନ୍ତି। ବୈଶାଖ ମାସର ପ୍ରଚଣ୍ଡ ଖରାରେ ଗଛମୂଳେ ଛୋଟ ପିଲା ଠୁ ବୃଦ୍ଧବୃଦ୍ଧା ଏକାଠି ଆମ୍ବରୁ ଚୋପା ଛଡାଇବାରେ ବ୍ୟସ୍ତ। ଏଭଳି ଦୃଶ୍ୟ କେବଳ ଗୋଟିଏ କି ୨ଟି ଗାଁରେ ନୁହେଁ,ଜଙ୍ଗଲ ନିକଟବର୍ତ୍ତି ପ୍ରାୟ ସମସ୍ତ ଗାଁରେ ଦେଖିବାକୁ ମିଳୁଛି। ବିଶେଷକରି ଏହି ଅଞ୍ଚଳରୁ ଭଲ ଆମ୍ବୁଲ ବାହାରକୁ ଯାଉଛି। ଖରାଦିନେ ଜଙ୍ଗଲଜାତ ଦ୍ରବ୍ୟରୁ ସେମନେ କିଛିଟା ରୋଜଗାର କରିପାରୁଛନ୍ତି। ମହୁଲ ଓ କେନ୍ଦୁପତ୍ର ପରେ ଏବେ ଆମ୍ବର ସମୟ। ପୂର୍ବପରି ଗାଁ ନିକଟରେ ଆଉ ଜଙ୍ଗଲ ନାହିଁ। ଟିକିଏ ଦୂରକୁ ଯିବାକୁ ପଡୁଛି। ଜଙ୍ଗଲରେ ବିଭିନ୍ନ କିସମର ଆମ୍ବ ରହିଛି। ବଡି ଭୋରରୁ ସେମାନେ ପିଲା ଛୁଆଙ୍କୁ ନେଇ ବାହାରିଯାଆନ୍ତି। ଆମ୍ବ ସଂଗ୍ରହ ପରେ ଘରକୁ ଫେରିଥାନ୍ତି। ଖାଇପିଇ ସାରିବା ପରେ ପରିବାରର ସମସ୍ତେ ଏକାଠି ଗଛତଳେ ବସିଥାନ୍ତି।

ପୂର୍ବରୁ ଧୁଆଧୁଇ କରି ପରିଷ୍କାର କରାଯାଇଥିବା ଆମ୍ବକୁ ଗୋଟେ ଗୋଟେ ଶାମୁକା ଧରି ଚୋପା ଛଡାଇ ଥାଆନ୍ତି। ପରେ ଏହାକୁ କାଟି ଲୁଣ ପକାଇ ଶୁଖାଇ ଦିଅନ୍ତି। ଶୁଖିଗଲା ପରେ ଏହାକୁ ବଜାରରେ ଯାହା ମୂଲ୍ୟଥିବ ବିକ୍ରି କରିଥାନ୍ତି। ପରିବାର ପୋଷଣ ପାଇଁ ଏହା ସହାୟ ହୋଇପାରୁଛି ବୋଲି ଉଲିଙ୍ଗିଆର ସୁଜତା ଜାନି କହିଛନ୍ତି। ତେବେ ପରିଶ୍ରମ ତୁଳନରେ ମୂଲ୍ୟ ମିଳୁ ନାହିଁ। ବାହାରୁ ଆସୁଥିବା ବେପାରୀ ମାନଙ୍କୁ ଦେଇଦେଉଛୁ। ଗୋଟିଏ ବଡ ଚାଙ୍ଗୁଡିକୁ ୫୦ରୁ ୭୦ ଟଙ୍କା ମିଳିଥାଏ।ଆଉ କିଛି ଆଦିବାସୀ ପରିବାର କଞ୍ଚା ଆମ୍ବ ଧରି ନିକଟସ୍ଥ ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସେଭଳି ଦେଖିବାକୁ ଗଲେ ଆମ୍ବୁଲରୁ ସେମାନେ ମୁଣ୍ଡପିଛା ଗୋଟିଏ ମାସରେ ପ୍ରାୟ ୩ରୁ ୪ ହଜାର ଟଙ୍କା ଆୟ କରୁଥିବା କହିଛନ୍ତି। ସୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ପଞ୍ଚାୟତର ଆଦିବାସୀ ଲୋକେ କହିଛନ୍ତି ଏହି ସମୟରେ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଡାଲ ଆମ୍ବ ଉତ୍ପାଦନ ହେଉଛି। ସରକାର ପକ୍ଷରୁ ଏହାକୁ କିଣାଗଲେ ଅଧିକ ଦୁଇ ପଇସା ମିଳିଥାନ୍ତା। ପଡୋଶୀ ଆନ୍ଧ୍ରପ୍ରଦେଶର ବେପାରୀମାନେ ଆସି କମ୍ ଦାମରେ କିଣିନେଉଥିବାରୁ ପରିଶ୍ରମର ଫଳ ମିଳିପାରୁନି। ସେମାନେ ଯାହାଦେଲେ ସେଥିରେ ସନ୍ତୁଷ୍ଟ ହେବାକୁ ପଡ଼ୁଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें