ଖଲ୍ଲିକୋଟରେ ବିଜେଡି ସଂଗଠନକୁ ଶକ୍ତ ଧକ୍କା: ପଦ୍ମ ଧରିଲେ ହଜାରରୁ ଅଧିକ କର୍ମୀ ଓ ନେତା

ରିପୋର୍ଟ -ମାଧବ ବେହେରା 

ଖଲିକୋଟ -ଗଞ୍ଜାମ ରାଜନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଖଲ୍ଲିକୋଟରେ ଏବେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ସ୍ଥାନୀୟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ବିଶାଳ ମିଶ୍ରଣ ପର୍ବରେ ଶାସକ ବିଜେଡି ଶିବିରରେ ବଡ଼ଧରଣର ବିପର୍ଯ୍ୟୟ ଘଟିଛି। ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସାଙ୍ଗଠନିକ ଦକ୍ଷତା ଏବଂ ନେତୃତ୍ୱରେ ଅନୁପ୍ରାଣିତ ହୋଇ ହଜାର ହଜାର ବିଜେଡି କର୍ମୀ ଓ ନେତା ଏବେ ପଦ୍ମ ଶିବିରକୁ ଆପଣେଇ ନେଇଛନ୍ତି।

ଏହି ମିଶ୍ରଣ ପର୍ବରେ ବିଶେଷ କରି ୪ଟି ବଡ଼ ପଞ୍ଚାୟତ— ତୁଳସୀପୁର, ଖୋଜାପଲ୍ଲୀ, ଆଇତିପୁର ଓ କହ୍ନେଇପୁରର ରାଜନୈତିକ ପରିଦୃଶ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହି ପଞ୍ଚାୟତଗୁଡ଼ିକର ବିଜେଡି ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ ଏବଂ ଅଗଣିତ ୱାର୍ଡ ମେମ୍ବର ସେମାନଙ୍କ ଶହ ଶହ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେମାନେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଏବଂ ଜନକଲ୍ୟାଣକାରୀ ଶାସନରେ ପ୍ରଭାବିତ ହୋଇ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ଏକଦା ଖଲ୍ଲିକୋଟରେ ବିଜେଡି ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ହେଉଥିଲା। ବିଶେଷ କରି ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ସମୟରେ ଏହି ସଂଗଠନ ବେଶ ଶକ୍ତିଶାଳୀ ଥିଲା। କିନ୍ତୁ ତାଙ୍କ ତିରୋଧାନ ପରେ ଅଞ୍ଚଳରେ ଦଳକୁ ସମ୍ଭାଳିବା ପାଇଁ କୌଣସି ଦକ୍ଷ ନେତୃତ୍ୱ ଉଭା ହୋଇପାରି ନାହିଁ। ଫଳରେ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସଂଗଠନ ଧୀରେ ଧୀରେ ଭୁଶୁଡ଼ିବାକୁ ଲାଗିଛି। ଆଜିର ଏହି ମିଶ୍ରଣ ପର୍ବରେ ପ୍ରାୟ ୧୦୦୦ ରୁ ୧୫୦୦ କର୍ମୀ ଦଳ ତ୍ୟାଗ କରିବା ବିଜେଡି ପାଇଁ ଆଗାମୀ ଦିନରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ତୃଣମୂଳ ସ୍ତରରୁ ନିଜକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଦଳଗୁଡ଼ିକ ପଛରେ ପଡ଼ିଥିବା ଭଳି ମନେ ହେଉଛି। ଯଦିଓ କିଛି ମାତ୍ରାରେ ଲୋକଙ୍କ ଆଗ୍ରହ କଂଗ୍ରେସ ପ୍ରତି ବଢ଼ୁଛି, କିନ୍ତୁ ଏକ ଦୃଢ଼ ଓ ଦକ୍ଷ ସ୍ଥାନୀୟ ନେତୃତ୍ୱ ନଥିବାରୁ କଂଗ୍ରେସ ଏହାର ଫାଇଦା ନେଇପାରୁ ନାହିଁ।

ଏହି ବୃହତ ମିଶ୍ରଣ ପର୍ବ ପରେ ଖଲ୍ଲିକୋଟର ରାଜନୈତିକ ମଇଦାନ ଏବେ ଉଷ୍ଣ ହୋଇପଡ଼ିଛି। ବିଜେପି ଏକପ୍ରକାର ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଥିବା ବେଳେ, ନିଜର ଅସ୍ତିତ୍ୱ ଏବଂ ଭୋଟ୍ ବ୍ୟାଙ୍କ ବଞ୍ଚାଇବା ପାଇଁ ବିଜେଡି ଓ କଂଗ୍ରେସ ଆଗାମୀ ଦିନରେ କି ରଣନୀତି ଆପଣାଉଛନ୍ତି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ!

Leave a Reply

Your email address will not be published. Required fields are marked *

और पढ़ें