ରିପୋର୍ଟ -ଶ୍ରୀକାନ୍ତ କୁମାର ସାବତ
ଧରାକୋଟ-: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସାରା ଓଡ଼ିଶା ଏବେ ଉତ୍ସବମୁଖର। ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ପୁରୀ ସମେତ ବିଭିନ୍ନ ସ୍ଥାନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲାର ଐତିହାସିକ ଧରାକୋଟ ଗଡ଼ରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଠାକାର ବ୍ୟତିକ୍ରମ ପରମ୍ପରା ଅନୁଯାୟୀ, ଆସନ୍ତା ଏକାଦଶୀ ତିଥିରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ରଥଯାତ୍ରା ପାଇଁ ଏବେ ରଥଖଳା ଚଳଚଞ୍ଚଳ ହୋଇଉଠିଛି।
ସମଗ୍ର ବିଶ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ନିର୍ଦ୍ଧାରିତ ତିଥିରେ ପାଳନ ହେଉଥିବା ବେଳେ ଧରାକୋଟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଏଠାରେ ବାହୁଡ଼ା ଦଶମୀର ପରବର୍ତ୍ତୀ ତିଥି ଅର୍ଥାତ୍ ଏକାଦଶୀ ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅନନ୍ୟ ଉତ୍ସବକୁ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
ଧରାକୋଟ ଗଡ଼ର ଏହି ଭବ୍ୟ ରଥ ପୁରୀର ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ସଦୃଶ।
ଉଚ୍ଚତା ଓ ଓସାର: ୩୩ ଫୁଟ, ୭୮୧ ଖଣ୍ଡ କାଠରେ ଏହି ରଥ ନିର୍ମିତ ହେଉଛି ଏଥି ସହିତ ରଥରେ ୬ଟି ଅଖ ଓ ୧୨ଟି ଚକ ରହିବା ସହ ଚାରି ନାଇକା ଏବଂ ପାରାଭାଡ଼ି ଉପରେ ଦଧିନଉତି ଶୋଭା ପାଇବ।

ଅକ୍ଷୟ ତୃତୀୟା ଦିନ ମୁଖ୍ୟ ମହାରଣାଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟରେ କାନଗିରିଡି, ବାହାରପୁର, ବେଠୁଆର, ଗଡ଼ଦାମୋଦରପଲ୍ଲୀ, ଡାକିବଜା ଓ ଗାଙ୍ଗପୁର ଆଦି ଗ୍ରାମର ଅଭିଜ୍ଞ ମହାରଣା ସେବାୟତମାନେ ନିଷ୍ଠାର ସହ ନିୟୋଜିତ ଅଛନ୍ତି।
ତିଥି ଅନୁସାରେ ଚଳିତ ବର୍ଷର ପ୍ରମୁଖ ନୀତିକାନ୍ତି ଗୁଡ଼ିକ ମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।
ଜୁଲାଇ ୧୪: ଶ୍ରୀବିଗ୍ରହମାନଙ୍କ ନବଯୌବନ ଦର୍ଶନ।
ଜୁଲାଇ ୧୬: ଶ୍ରୀଗୁଣ୍ଡିଚା ଯାତ୍ରା।
ଜୁଲାଇ ୨୦: ହେରା ପଞ୍ଚମୀ।
ଜୁଲାଇ ୨୪: ବାହୁଡ଼ା ଯାତ୍ରା।
ଜୁଲାଇ ୨୫ (ଏକାଦଶୀ): ଧରାକୋଟର ସ୍ୱତନ୍ତ୍ର ବାହୁଡ଼ା ଯାତ୍ରା ଉତ୍ସବ।
ଏହି ସ୍ୱତନ୍ତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଧରାକୋଟ ରାଜ ପ୍ରାସାଦ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି।









