ବେଲଗୁଣ୍ଠାର ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମୋତ୍ସବ ଆଡ଼ମ୍ବରରେ ପାଳିତ: ଶ୍ରଦ୍ଧାଳୁଙ୍କ ଗହଳି ସାଙ୍ଗକୁ ଭକ୍ତିମୟ ପରିବେଶ

ବେଲଗୁଣ୍ଠା-୩୦/୪:ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଜି ଦିନ ତମାମ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

ପ୍ରଭୁଙ୍କ ଜନ୍ମୋତ୍ସବ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।ସକାଳ ୫ ଟାରେ ଅବକାଶ ନୀତି,ସକାଳ ୮ ଟାରେ ବାଳଭୋଗ,ପୂର୍ବାହ୍ନ ୧୧ ଟାରେଅନ୍ନ ଭୋଗ,ମଧ୍ୟାହ୍ନ ୧୨ ଟାରେ ପହଡ ନୀତି,ଅପରାହ୍ନ ୪:୩୦ରେ ଦ୍ୱାରଫିଟା,ଅପରାହ୍ନ ୫:୩୦ରେ ନୃସିଂହ ଜନ୍ମ ବିଧାନ ଓ ଆରତୀ ସନ୍ଧ୍ୟା ୬:୦୦: ପ୍ରଭୁଙ୍କ ମହା ଆରତୀ ହୋଇଥିଲା । ସଂଧ୍ୟା ଆରତୀ ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।


ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଏହି ଉତ୍ସବ ପାଳନ କରାଯାଇଥାଏ। ଇତିହାସ ଅନୁସାରେ, ପ୍ରାୟ ୪୦୦ ବର୍ଷ ପୂର୍ବେ ମହାରାଜ କୃଷ୍ଣଚନ୍ଦ୍ର ଭଞ୍ଜ ଦକ୍ଷିଣ ଓଡ଼ିଶାର ଗୋଦାବରୀ ନଦୀ ତଟରୁ ଆୟେଙ୍ଗାର ଗୋସାଇଁଙ୍କ ପୂର୍ବଜଙ୍କୁ ଆଣି କୋକଲୁଣ୍ଡାରେ ଅବସ୍ଥାପିତ କରିଥିଲେ। ସେମାନଙ୍କ ଦ୍ୱାରା ହିଁ ବେଲଗୁଣ୍ଠା ବଡ଼ଦାଣ୍ଡରେ ଏହି ପୀଠ ପ୍ରତିଷ୍ଠା ହୋଇଥିଲା। ସେହି ପରମ୍ପରା ଅନୁଯାୟୀ, ଆଜି ମଧ୍ୟ ଆୟେଙ୍ଗାର ଗୋସାଇଁଙ୍କ ବଂଶଜଙ୍କୁ ପ୍ରଭୁଙ୍କ ଚଳନ୍ତି ପ୍ରତିନିଧି ଭାବେ ବିବେଚନା କରାଯାଇ ପ୍ରଥମେ ଆରତୀ ଅର୍ପଣ କରାଯାଇଥାଏ।

ମନ୍ଦିର ପରିସରରେ ‘ସପନ ମାନସିକ ମେଳା’ ତରଫରୁ ଏକ ଭକ୍ତିମୟ ପରିବେଶରେ ୧୦୮ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ସନ୍ଧ୍ୟାରେ ବଡ଼ଦାଣ୍ଡରେ ଏକ ଭଜନ ସମାରୋହ ଆୟୋଜନ କରାଯାଇଥିଲା, ଯାହା ସମଗ୍ର ଅଞ୍ଚଳକୁ ଆଧ୍ୟାତ୍ମିକତାରେ ମନ୍ତ୍ରମୁଗ୍ଧ କରିଥିଲା।

ସମସ୍ତ ନୀତିକାନ୍ତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ବେଳେ ମନ୍ଦିରର ସେବକ ପବିତ୍ର କୁମାର ପଣ୍ଡା, ସତ୍ୟନାରାୟଣ ସ୍ୱାର, ରାମକୃଷ୍ଣ ପଣ୍ଡା, କାଳୀପ୍ରସାଦ ପଣ୍ଡା ଓ ରାଜେନ୍ଦ୍ର ସ୍ୱାର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें