ରିପୋର୍ଟ-ମାଧବ ବେହେରା
ଖଲ୍ଲିକୋଟ-୧/୫-ଆଜି ବିଶ୍ୱ ଶ୍ରମିକ ଦିବସ। ଯେଉଁ ସମୟରେ ଶ୍ରମିକଙ୍କ ଅଧିକାର ଓ ସମ୍ମାନର କଥା କୁହାଯାଉଛି, ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦାଦନ ପ୍ରବଣ ଖଲ୍ଲିକୋଟ ବ୍ଲକରୁ ଆସିଛି ଏକ ଦୁଃଖଦ ଚିତ୍ର। ନିଜ ଭିଟାମାଟିରେ ରୋଜଗାର ଅଭାବରୁ ଜୀବିକା ସନ୍ଧାନରେ ସୁଦୂର ରୁଷିଆ, ଇସ୍ରାଏଲ୍ଠାରୁ ଆରମ୍ଭ କରି ସୁରଟ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଯାଉଥିବା ଶ୍ରମିକମାନେ ଏବେ ପ୍ରାୟ ‘ଶବ’ ହୋଇ ଫେରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ !!ଖଲ୍ଲିକୋଟରେ ଦାଦନ ସମସ୍ୟା ରୋକିବା ପାଇଁ ଏକ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବାକୁ ଏବେ ସାଧାରଣରେ ଦାବି ଜୋର ଧରିଛି ।

ଖଲ୍ଲିକୋଟ ଏକ କୃଷି ଓ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ କୌଣସି କୃଷିଭିତ୍ତିକ ଶିଳ୍ପ ନାହିଁ। ଫଳରେ ବ୍ଲକର ପ୍ରାୟ ୨୨ ହଜାରରୁ ଅଧିକ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକ ଯୁବତୀ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। ବିଶେଷ କରି ମାଣିକପୁର ଓ ମହେଶ୍ୱରପୁର ଭଳି ଗ୍ରାମର ପ୍ରତି ପରିବାରରୁ ୨-୩ ଜଣ ସଦସ୍ୟ ଦାଦନ ଖଟିବାକୁ ଯାଉଛନ୍ତି।

ଦୁଃଖର ବିଷୟ, ଏହି ଶ୍ରମିକମାନେ କେଉଁଠି ଓ କିଭଳି ଅବସ୍ଥାରେ କାମ କରୁଛନ୍ତି, ତାର କୌଣସି ସଠିକ୍ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ। ପଞ୍ଜିକରଣ ଅଭାବରୁ କର୍ମସ୍ଥଳୀରେ ନିର୍ଯ୍ୟାତନାର ଶିକାର ହେଲେ ମଧ୍ୟ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଗତ ଦୁଇ ମାସ ମଧ୍ୟରେ ୪ ଜଣ ଶ୍ରମିକଙ୍କ ମୃତଦେହ ଘରକୁ ଫେରିବା ସମସ୍ତଙ୍କୁ ମର୍ମାହତ କରିଛି।
ଖଲ୍ଲିକୋଟରେ ପ୍ରାୟ ୪୦ ଜଣ ପଞ୍ଜିକୃତ ଓ ଅଣ-ପଞ୍ଜିକୃତ ଶ୍ରମ ଠିକାଦାର ସକ୍ରିୟ ଅଛନ୍ତି। ଶ୍ରମ ବିଭାଗ ଓ ଠିକାଦାରଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ଶ୍ରମିକମାନେ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ ଖଲ୍ଲିକୋଟର ଧରାକୋଟ ସାହି ଛକରେ ପ୍ରତିଦିନ ‘ମଣିଷ ହାଟ’ ବସୁଛି, ଯେଉଁଠି ଶ୍ରମିକମାନଙ୍କୁ ଦିନ ମଜୁରିଆ ଭାବେ ମୁଲଚାଲ କରି ନିଆଯାଉଛି।
ଏହି ବ୍ଲକରେ ମନରେଗା ଯୋଜନା ବାଟବଣା ହୋଇଛି। ଶ୍ରମିକମାନେ ବର୍ଷ ବର୍ଷ ଧରି ପାରିଶ୍ରମିକ ପାଇନାହାନ୍ତି। ନୂତନ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସ୍ଥାନୀୟ ରାଜନୈତିକ ଛକାପଞ୍ଝା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।ଅଞ୍ଚଳବାସୀ ଓ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ କେତେକ ମୁଖ୍ୟ ଦାବି କରିଛନ୍ତି ।

୮୦ ଦଶକରେ ଏଠାରେ ଏକ ଶ୍ରମ କାର୍ଯ୍ୟାଳୟ ଥିଲା, ଯାହାକୁ ପୁନଃ ପ୍ରତିଷ୍ଠା କରିବା ନିହାତି ଆବଶ୍ୟକ। ସୁରଟ ଭଳି ସହରକୁ ଶ୍ରମିକ ରପ୍ତାନି ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଟେକ୍ସଟାଇଲ୍ ପାର୍କ ଖୋଲାଯାଉ। ପ୍ରତିଟି ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଶ୍ରମ ବିଭାଗ ନିକଟରେ ରହୁ।
ଯଦି ସରକାର ଶୀଘ୍ର ଏହି ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ ଖଲ୍ଲିକୋଟରୁ ଦାଦନ ସ୍ରୋତ ଓ ଶବ ଫେରିବାର ପ୍ରକ୍ରିୟାକୁ ରୋକିବା ଅସମ୍ଭବ ହୋଇପଡ଼ିବ।









