ରିପୋର୍ଟ -ମାଗୁଣୀ ମିଶ୍ର
ଭଞ୍ଜନଗର-୨୧/୪- : ତାରସିଂ ଥାନା ଅନ୍ତର୍ଗତ ଗାଲେରି ଗ୍ରାମ ପୂର୍ବରୁ ଏକ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି। ମୃତକ ହେଲେ ଗାଲେରି ଗ୍ରାମର ଚିତ୍ରସେନ ନାଇକ। ତାଙ୍କ ନାତି ରାଜା ନାଇକ ଗୁରୁତର ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ହସ୍ପିଟାଲରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୋମବାର ମଧ୍ୟାହ୍ନରେ ଚିତ୍ରସେନ ଓ ତାଙ୍କ ନାତି ରାଜା ଏକ ବାଇକ୍ ରେ ଭଞ୍ଜନଗର ଅଭିମୁଖେ ଆସୁଥିଲେ। ଗାଲେରି ମଦ ଦୋକାନ ନିକଟ ରାସ୍ତାରେ ଥିବା ଏକ ଖାଲକୁ କାଟି ରାଜା ବାଇକ୍ କୁ ମଝିରେ ନେବା ପାଇଁ ଉଦ୍ୟମ କରିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଅଜାନାତି ବାଇକ୍ ରୁ ଛିଟିକି ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଅଜା ଚିତ୍ରସେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାସ୍ତା ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ,ଉକ୍ତ ରାସ୍ତା ନିର୍ମାଣ ର ୨ ବର୍ଷ ନ ହେଉଣୁ ଅନେକ ସ୍ଥାନରେ ଖାଲଖମା ହୋଇଗଲାଣି। ଠିକାଦାର ଚୁକ୍ତି ଅନୁସାରେ ନିୟମିତ ମରାମତି କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।









