ହେଜିଲେ ପିଲାଦିନର ସ୍ମୃତି, ନେଲେ ସମାଜସେବାର ଶପଥ: କ୍ଷତ୍ରୀୟବରପୁର ହାଇସ୍କୁଲ ୨୦୦୨ ବ୍ୟାଚ୍‌ର ବନ୍ଧୁମିଳନ

ବେଲଗୁଣ୍ଠା-୧୮/୦୪-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ସରକାରୀ ଉଚ୍ଚବିଦ୍ୟାଳୟର ୨୦୦୨ ମସିହା ଦଶମ ଶ୍ରେଣୀ ବ୍ୟାଚ୍‌ର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ପୁରାତନ ବନ୍ଧୁମାନେ ଏକତ୍ରିତ ହୋଇ ପରସ୍ପରକୁ ଭେଟିବା ସହ ପିଲାଦିନର ସେହି ଅଭୁଲା ସ୍ମୃତିକୁ ମନେ ପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ। ଏହି ଅବସରରେ ବନ୍ଧୁମାନେ ନିଜ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ସୁବିଧା-ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ମତାମତ ଦେଇଥିଲେ। ଆଗାମୀ ଦିନରେ ଏହି ବନ୍ଧୁମିଳନ ଉତ୍ସବକୁ ଅଧିକ ବ୍ୟାପକ କରିବା ଏବଂ ଏଥିରେ ନିଜ ପରିବାର ସଦସ୍ୟ ଓ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସାମିଲ କରି ସମ୍ମାନିତ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।        କେବଳ ବନ୍ଧୁତ୍ୱର ଆଳାପରେ ସୀମିତ ନରହି, ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ଏହି ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଏକ ‘ମିଳିତ କଲ୍ୟାଣ ପାଣ୍ଠି’ ଗଠନ କରାଯାଇଛି। ଏହି ପାଣ୍ଠି ମାଧ୍ୟମରେ ସଦସ୍ୟଙ୍କ ମଧ୍ୟରେ କିମ୍ବା ସମାଜର ଅନ୍ୟ ଅସହାୟ ବ୍ୟକ୍ତିଙ୍କ ବିପଦ ସମୟରେ ଆର୍ଥିକ ଓ ନୈତିକ ସହଯୋଗ ଯୋଗାଇ ଦିଆଯିବ। ଏହା ସହିତ ଆଗାମୀ ଦିନରେ ରକ୍ତଦାନ ଶିବିର, ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଏବଂ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିଜର ବ୍ୟସ୍ତବହୁଳ ବ୍ୟକ୍ତିଗତ ଜୀବନରୁ କିଛି ସମୟ ବାହାର କରି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ଦୃଢ଼ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ବନ୍ଧୁତ୍ୱର ଏକ ନୂତନ ପରିଭାଷା ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରଶଂସନୀୟ ଉଦାହରଣ ସାଜିଛି।

Leave a Reply

Your email address will not be published. Required fields are marked *

और पढ़ें