ରିପୋର୍ଟ -ମାଗୁଣୀ ମିଶ୍ର
ଭଞ୍ଜନଗର-୧୬/୦୪ – ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ପାରମ୍ପରିକ ଐତିହ୍ୟ ଓ ସାଂସ୍କୃତିକ ଗୌରବର ପ୍ରତୀକ ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ବହୁ ପ୍ରତୀକ୍ଷିତ ଯାତ୍ରା ଆସନ୍ତା ଏପ୍ରିଲ ୨୬ ତାରିଖରୁ ରାଜ ରାଜେଶ୍ବରୀ ମା’ ବ୍ୟାଘ୍ରଦେବୀ ଓ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଶୁଭ ଆଗମନ ସହ ଆରମ୍ଭ ହେବ। ଏହି ମହାନ ପର୍ବ ଆସନ୍ତା ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ମାଆଙ୍କ ଯାତ୍ରା ଓ ପ୍ରତ୍ୟାବର୍ତ୍ତନ ଉତ୍ସବ ସମାପ୍ତ ହେବା ଯାଏଁ ଜାରି ରହିବ। ଯାତ୍ରାକୁ ଶୃଙ୍ଖଳିତ ଓ ନିଆରା ଢଙ୍ଗରେ ସମ୍ପାଦନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଧାୟକ ଓ କମିଟି ସଦସ୍ୟଙ୍କ ମିଳିତ ନିଷ୍ପତ୍ତି କ୍ରମେ ଚଳିତ ବର୍ଷର ଯାତ୍ରାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସାମିଲ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।ଏହି ପରିପ୍ରେକ୍ଷୀରେ ଯାତ୍ରା କମିଟିର ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧି ଦଳରେ ଭଞ୍ଜନଗର ମୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଦଳବେହେରା ସାମିଲ ହୋଇ ଯାତ୍ରାର ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ କରାଯାଇଥିବା ଅନୁରୋଧକୁ ମୁଖ୍ୟମନ୍ତ୍ରୀ ସମ୍ମାନର ସହ ଗ୍ରହଣ କରିଛନ୍ତି। ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରୁ ସମୟ ବାହାର କରି ମୁଖ୍ୟମନ୍ତ୍ରୀ ଭଞ୍ଜନଗର ମାଟିରେ ପଦାର୍ପଣ କରିବା ସହ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱୀକୃତି ଘୁମୁସର ମାଟି ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହର ଲହରି ଖେଳିଯାଇଛି।









