ଧରାକୋଟ-(ଶ୍ରୀକାନ୍ତ ସାବତ)-ଧରାକୋଟ ବ୍ଲକର ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କ ତରଫରୁ ଏକ ପାଞ୍ଚ ଦଫା ଦାବୀ ସମ୍ବଳିତ ପତ୍ର ବ୍ଲକ ସଭାପତି ସୀମାଞ୍ଚଳ ଗୌଡ଼ ଓ ସମ୍ପାଦକ ବାବୁଲା କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏବିଡିଓ ଭବାନୀ ଶଙ୍କର ପ୍ରଧାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଦାବି ଗୁଡିକ ମଧ୍ୟରେ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ଚାକିରି ସର୍ତ୍ତାବଳୀ ଓ ପେନସନ ଲାଗୁ,ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି, ଅଵସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଠିକା ଶିକ୍ଷକ ମାନଙ୍କ ଇଂକ୍ରିମେଣ୍ଟ ବୃଦ୍ଧି ଓ ସମସ୍ତ ଉଲ୍ଲେଖ ବିଦ୍ୟାଳୟକୁ ସରକାରୀ କରିବା ରହିଛି ।ଆସନ୍ତା ୯ ତାରିଖ ଦିନ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ସରକାର ଏହାର ବିଚାର କରି ପଦକ୍ଷେପ ନନିଅନ୍ତି ତାହେଲେ ଆସନ୍ତା ଅଗଷ୍ଟ ୧୬ ତାରିଖକୁ କ୍ରାନ୍ତି ଦିବସ ଭାବରେ ପାଳନ କରି ସେହି ଦିନ ରାଜଧାନୀ ଭୁବନେଶ୍ୱର ରେ ଆମରଣ ଅନଶନ ଆରମ୍ଭ କରାଯିବ । ଧରାକୋଟ ବ୍ଲକର ମାଣିକପୁର, ବାହାର ପୁର,ଡାକିବଜା,ଓଳମ୍ବା, ସୀଙ୍ଗିପୁର,ମୁଣ୍ଡମରାଇ( ବାଳିକା) , ଶରଧାପୁର,ଝାଡ଼ବନ୍ଧ ହାଇସ୍କୁଲ ସହ ଧରାକୋଟ ଓ ମୁଣ୍ଡମରାଇ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଏହି ଅନଶନରେ ସାମିଲ ହେବେ ।ଯାହା ଫଳରେ ପ୍ରାୟ ଦୁଇ ହଜାର ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହିଛି।ଦାବୀପତ୍ର ପ୍ରଦାନ ସମୟରେ ଶିକ୍ଷକ ସର୍ବଶ୍ରୀ କାହ୍ନୁ ଚରଣ ମିଶ୍ର, ମହେନ୍ଦ୍ର ଷଡ଼ଙ୍ଗୀ,ବଳରାମ ମହାପାତ୍ର,ଉଲ୍ଲାସ ବିଷୋୟୀ, ରାଧାମୋହନ ତ୍ରିପାଠୀ ଓ କୋରାପ୍ରସାଦ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।









