ରିପୋର୍ଟ-ବଂଶୀଧର ଗୌଡ଼, ଗାଙ୍ଗପୁର
ଗାଙ୍ଗପୁର: ଗାଙ୍ଗପୁର ଥାନା ନିକଟସ୍ଥ ମୁନିଗାଡ଼ି ସରକାରୀ ହୋମିଓପାଥି ଚିକିତ୍ସାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଚିକିତ୍ସାଳୟର ମୁଖ୍ୟ ଡାକ୍ତର ଜ୍ୟୋତିର୍ମୟୀ ବସନ୍ତିଆଙ୍କ ସଭାପତିତ୍ୱରେ ଏହି ଦ୍ୱାଦଶତମ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ବେହେରା ଯୋଗଦେଇଥିଲେ। ସେ ପିଲାମାନଙ୍କୁ କ୍ରୀଡା, ବ୍ୟାୟାମ ଏବଂ ଯୋଗର ଉପକାରିତା ବିଷୟରେ ବୁଝାଇବା ସହ ଏକ ପ୍ରତିଯୋଗିତା ଆୟୋଜନ କରିଥିଲେ। ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ କୃତୀ ପ୍ରତିଯୋଗୀମାନଙ୍କୁ ଖାତା, କଲମ ଓ ପେନସିଲ ଭଳି ପୁରସ୍କାର ବଣ୍ଟନ କରାଯାଇଥିଲା।

ବରିଷ୍ଠ ଅତିଥି ବଂଶୀଧର ଗୌଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ ଶିକ୍ଷାର ଉପାଦେୟତା, ଯୋଗ କରିବା କୌଶଳ ଓ ଅଭ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆସନ୍ନ ବର୍ଷା ଋତୁକୁ ଦୃଷ୍ଟିରେ ରଖି ପିଲା ଓ ମା’ମାନଙ୍କୁ ନେଇ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, “ବୃକ୍ଷଟିଏ ଲଗାଇବା ଯେତିକି ଜରୁରୀ, ସେହିପରି ତାର ଯତ୍ନ ନେବା ମଧ୍ୟ ସେତିକି ଆବଶ୍ୟକ।”
ହୋମିଓପାଥି ସହକାରୀ ଫାର୍ମାସିଷ୍ଟ ସତୀଶ କୁମାର ସ୍ୱାଇଁ ମାନବ ଜୀବନରେ ଯୋଗର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ଆଜିକାଲିର ପିଲାମାନେ ଅଧିକ ସମୟ ମୋବାଇଲ୍ରେ ବ୍ୟସ୍ତ ରହୁଛନ୍ତି। ପାଖପାଖରେ ଖେଳିବା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ ଏବଂ ଦୂରକୁ ଛାଡ଼ିବାକୁ ବାପା-ମା’ ଭୟ କରୁଥିବାରୁ ପିଲାମାନେ ଖେଳକୁଦରୁ ବଞ୍ଚିତ ହେଉଛନ୍ତି। ତେଣୁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଯୋଗ ଅଭ୍ୟାସ ଏବେ ନିତାନ୍ତ ଜରୁରୀ ହୋଇପଡ଼ିଛି।
ଏହି ଅବସରରେ ଯୋଗ ଶିକ୍ଷୟତ୍ରୀ ସସ୍ମିତା ସେଠି ଉପସ୍ଥିତ ସମସ୍ତ ଶିଶୁ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ସଫଳତାର ସହ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ହସ୍ପିଟାଲର ସମସ୍ତ କର୍ମଚାରୀ ଓ ଅତିଥିମାନଙ୍କ ମିଳିତ ସହଯୋଗରେ ଏହି ସମଗ୍ର କାର୍ଯ୍ୟକ୍ରମଟି ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଯାଇଛି।









