ଭୁଲ୍ ବହି, ବ୍ୟାକୁଳ ପିଲା: ଶିକ୍ଷା ବିଭାଗର ବଡ଼ ବିଭ୍ରାଟ!

ବ୍ୟୁରୋ: ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ହିଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ବିଭ୍ରାଟ ସାମ୍ନାକୁ ଆସିଛି। ଜାତୀୟ ଶିକ୍ଷାନୀତି ଆଧାରରେ ୨୦୨ ୬-୨୭ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫ଟି ନୂତନ ପାଠ୍ୟପୁସ୍ତକରେ ଶହ ଶହ ନୁହେଁ, ବରଂ ୧,୬୫୦ରୁ ଉର୍ଦ୍ଧ୍ବ ଗୁରୁତର ମାତ୍ରାଧିକ ତ୍ରୁଟି ଚିହ୍ନଟ ହୋଇଛି। ବହିଗୁଡ଼ିକରେ ବ୍ୟାପକ ପରିମାଣରେ ଶବ୍ଦ, ବାକ୍ୟ ଓ ବ୍ୟାକରଣଗତ ଭୁଲ୍‌ ରହିଥିବାରୁ ଏହା ଗଣଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଓ ଆନ୍ତରିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସମ୍ବେଦନଶୀଳ ଅବହେଳା ଯୋଗୁଁ ସରକାରୀ ବିଦ୍ୟାଳୟ ପ୍ରତି ସାଧାରଣରେ ବଢ଼ୁଥିବା ଆସ୍ଥା ତୁଟିଯିବା ସହ କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବହିଗୁଡ଼ିକରେ ବ୍ୟାପକ ତ୍ରୁଟି ଥିବା ଜଣାପଡ଼ିବା ପରେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତ୍ରୁଟି ସଂଶୋଧନ କରି ପଢ଼ାଇବା ପାଇଁ ନିର୍ଦ୍ଦେଶତ ଦିଆଯାଇଛି, ମାତ୍ର ବଣ୍ଟା ସରିଥିବା ଲକ୍ଷ ଲକ୍ଷ ବହିକୁ ବ୍ୟାବହାରିକ ସ୍ତରରେ କିଭଳି ସଂଶୋଧନ କରାଯିବ ସେ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଘୋର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଅପରପକ୍ଷରେ, ଶିକ୍ଷା ବିଭାଗ ନିଜର ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ “କମ୍ ସମୟ”ର ଦୁହାଇ ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଶିକ୍ଷା ଅଧିକାରୀମାନେ ସରକାରଙ୍କ ଆଗାମୀ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ପ୍ରକାଶ କରିଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କ ପାଇଁ କୌଣସି ବିକଳ୍ପ ତଥା ସ୍ଥାୟୀ ବ୍ୟବସ୍ଥା ହୋଇପାରି ନାହିଁ।

ପାଠ୍ୟକ୍ରମରେ ମୌଳିକ ଓ ଗୁଣାତ୍ମକ ପରିବର୍ତ୍ତନ କରାଯାଇଛି ବୋଲି ବାହାବା ନିଆଯାଉଥିବା ବେଳେ, ଏଭଳି ବେପରୁଆ ତ୍ରୁଟି ସରକାରୀ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ଦୁର୍ବଳ କରିଦେବ ବୋଲି ବହୁ ଶିକ୍ଷାବିତ୍ ଆଶଙ୍କା କରିଛନ୍ତି । ଏଭଳି ସମସ୍ୟା ଘେରରେ ସରକାରୀ ସ୍କୁଲ୍‌ଗୁଡ଼ିକରେ କିଭଳି “ଗୁଣାତ୍ମକ ଶିକ୍ଷାଦାନ” ସମ୍ଭବ ହେବ, ତାକୁ ନେଇ ଏବେ ସବୁଠି ଜୋର୍‌ ଚର୍ଚ୍ଚା ଧରିଛି।

ଓଡ଼ିଆ ଅସ୍ମିତାକୁ ଆଧାର କରି ନୂତନ ସରକାର ଆସିବା ପରେ ଏ ପରି ଭୁଲ୍ ଓଡିଆ ଅସ୍ମିତାକୁ କୁଠାରଘାତ ବୋଲି ରାଜନୈତିକ ପ୍ରତିଦ୍ୱନ୍ଦୀ ମାନେ ସମାଲୋଚନା କରିଛନ୍ତି ।

ସେ ପଟେ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ଗୁରୁତର ସହିତ ନେଇ ଏହାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଛନ୍ତି । ଆଗାମୀ ସାତ ଦିନ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପାଠ୍ୟ ପୁସ୍ତକ ପ୍ରତ୍ୟାହାର କରି ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

 

Leave a Reply

Your email address will not be published. Required fields are marked *

और पढ़ें