ବେଲଗୁଣ୍ଠା:ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଅଧିନରେ କାର୍ଯ୍ୟରତ ମହିଳା ଓ ପୁରୁଷ ସ୍ବାସ୍ଥ୍ଯ କର୍ମୀ ଏବଂ ସ୍ବାସ୍ଥ୍ଯ ପରିଦର୍ଶକ,ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଅଧିକ୍ଷକ ଡା ସବିତା ବେହେରା ଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ଏହି ସ୍ମାରକ ପତ୍ରରେ ମୁଖ୍ୟତଃ ନିରୀକ୍ଷଣ ଆପ୍ ମାଧ୍ୟମରେ ବାଧ୍ୟତାମୂଳକ ଅନଲାଇନ୍ ଉପସ୍ଥାନ ପ୍ରତ୍ୟାହାର ଏବଂ କ୍ଷେତ୍ର ସ୍ତରୀୟ ସ୍ବାସ୍ଥ୍ୟ କର୍ମୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯାଇଛି।ସେମାନଙ୍କ ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ ବିଭିନ୍ନ ସ୍ଥାନରେ ନେଟୱର୍କ ସମସ୍ୟା ରହୁଥିବା ହେତୁ ନିରୀକ୍ଷଣ ଆପ୍ ରେ ବାଧ୍ୟତାମୂଳକ ଉପସ୍ଥାନ ଦେବାରେ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେବ ।ବାଧ୍ୟତାମୂଳକ ଅନଲାଇନ୍ ଉପସ୍ଥାନ ଦ୍ଵାରା ସେମାନେ ବିଭିନ୍ନ ଛୁଟିରୁ ବଞ୍ଚିତ ହେଉଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଛୁଟିଦିନ ନିର୍ଦ୍ଧାରଣ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।କର୍ମକ୍ଷେତ୍ରରେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଶୌଚାଳୟ,ରହଣି ସ୍ଥଳ,ପାନୀୟଜଳ ବ୍ୟବସ୍ଥା ଭଳି ଆନୁଷଙ୍ଗିକ ସୁବିଧା ଏବଂ ଭିତ୍ତିଭୂମି ଯୋଗାଇ ଦେବାପାଇଁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଉନ୍ନତ ମାନର ସ୍ମାର୍ଟ ଫୋନ୍ ନଥିବାରୁ ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଉନ୍ନତ ମାନର ସ୍ମାର୍ଟ ଫୋନ୍ ଏବଂ ପାଣ୍ଠି ଯୋଗାଇ ଦେବା ପାଇଁ ଦାବି କରାଯାଇଛି। ଏହା ସହିତ କେବଳ ଅନଲାଇନ୍ ଉପସ୍ଥାନ ଉପରେ ଗୁରୁତ୍ବ ନଦେଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ପ୍ରଦର୍ଶନ ଭିତ୍ତିକ ସମୀକ୍ଷା ଉପରେ ଗୁରୁତ୍ବ ଦେବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି।









