ଗଞ୍ଜାମ ଜିଲ୍ଲାର ସୁରକ୍ଷା ଭାରନେଲେ ନୁତନ ଏସ୍.ପି: ଅପରାଧୀଙ୍କୁ ଚେତାବନୀ, ଜନସାଧାରଣଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ଏସପିଙ୍କ ନମ୍ବର

ରିପୋର୍ଟ -ଅଶ୍ୱିନୀ କୁମାର ମହାନ୍ତି

ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣକୁ ଜୋରଦାର କରିବା ସଂକଳ୍ପ ସହ ଆଜି ଆନୁଷ୍ଠାନିକ ଭାବେ ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୨୦ ବ୍ୟାଚ୍‌ର  ଆଇପିଏସ୍ ଅଫିସର ହରିଶ ବିଶି। ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ତାଙ୍କୁ ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ସେ ପୂର୍ବତନ ଏସପି ଶୁଭେନ୍ଦୁ ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସେ ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ଏସପି ଭାବେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ନୂତନ ଏସପି ଶ୍ରୀ ବିଶି ନିଜର ଆଗାମୀ କାର୍ଯ୍ୟପନ୍ଥା ସ୍ପଷ୍ଟ କରିଛନ୍ତି। ଗଞ୍ଜାମ ଏକ ବୃହତ, ଜନବହୁଳ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବାରୁ ଏଠାରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତି ବଜାୟ ରଖିବା ସବୁଠାରୁ ବଡ଼ ଆହ୍ୱାନ ବୋଲି ସେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଜିଲ୍ଲାକୁ ସମ୍ପୂର୍ଣ୍ଣ ଅପରାଧମୁକ୍ତ କରିବା ତାଙ୍କର ପ୍ରଥମ ଏବଂ ପ୍ରଧାନ ପ୍ରାଥମିକତା ରହିବ। ବିଶେଷ କରି ଜିଲ୍ଲାରେ ବେଆଇନ ଭାବେ ସକ୍ରିୟ ଥିବା ପଥର ଓ ବାଲି ମାଫିଆ ଏବଂ ଗୋ-ଚାଲାଣ ସ୍ମଗଲିଂ କରୁଥିବା ଗୋଷ୍ଠୀଙ୍କ ବିରୋଧରେ ପୋଲିସ ଆଦୌ କୋହଳ ମନୋଭାବ ପୋଷଣ କରିବ ନାହିଁ। ଯେଉଁ ସବୁ ଅଞ୍ଚଳ ଅପରାଧୀଙ୍କ ଚୋରାଭୂଇଁ ବା ସେଫ୍-ଜୋନ୍ ପାଲଟିଛି, ସେଠାରେ ପୋଲିସର କଡ଼ା ନଜର ରହିବ ଏବଂ ଆବଶ୍ୟକ ସ୍ଥଳେ ଅତି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

” ଜିଲ୍ଲାରେ ଗ୍ରାମାଞ୍ଚଳ ପାଟ୍ରୋଲିଂ ଏବଂ ବରିଷ୍ଠ ଅଧିକାରୀଙ୍କ ଭିଲେଜ୍ ଭିଜିଟ୍ ବ୍ୟବସ୍ଥାକୁ ପୁନଃ ସମୀକ୍ଷା କରାଯାଇ ଅଧିକ ସକ୍ରିୟ କରାଯିବ, ଯଦ୍ୱାରା ତୃଣମୂଳ ସ୍ତରରେ ହିଁ ଅପରାଧକୁ ରୋକାଯାଇପାରିବ।

ସାଧାରଣତଃ ଜନସାଧାରଣ ପୋଲିସ ପାଖକୁ ଆସିବାକୁ ଭୟ କରିଥାନ୍ତି, ଯାହା ଫଳରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଯାଏ। ଏହି ଦୂରତାକୁ ଦୂର କରିବା ପାଇଁ ଏସପି ଶ୍ରୀ ବିଶି “ପୋଲିସ ପିପୁଲ୍ ଫ୍ରେଣ୍ଡଲି” ବାତାବରଣ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ ଜିଲ୍ଲାବାସୀଙ୍କୁ ଭରସା ଦେଇ କହିଛନ୍ତି ଯେ, ଲୋକଙ୍କ ସୁବିଧା ଓ ସହାୟତା ପାଇଁ ତାଙ୍କ ମୋବାଇଲ୍ ନମ୍ବର ୨୪ ଘଣ୍ଟା ଖୋଲା ରହିବ। କୌଣସି ବି ସମସ୍ୟା ବା ଅଭିଯୋଗ ଥିଲେ ଲୋକେ ବିନା ଦ୍ୱିଧାରେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିପାରିବେ। ତାଙ୍କ କାର୍ଯ୍ୟାଳୟ ଜନସାଧାରଣଙ୍କ ପାଇଁ ସଦାସର୍ବଦା ଉନ୍ମୁକ୍ତ ରହିବ। ଏଥିସହିତ ସେ ସମସ୍ତ ଥାନାର ଆଇଆଇସି (IIC) ମାନଙ୍କୁ ଜନସାଧାରଣଙ୍କ ଅଭିଯୋଗକୁ ସହାନୁଭୂତିର ସହ ଶୁଣିବା ଓ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें