ଓପିଏସସି ପରୀକ୍ଷାରେ ଗାଙ୍ଗପୁର ଥାନା ଅଧିକାରୀଙ୍କ କନ୍ୟାଙ୍କ ବଡ଼ ସଫଳତା: ପ୍ରଥମ ପ୍ରଚେଷ୍ଟାରେ ସଫଳତା ପାଇଲେ କ୍ଷଣପ୍ରଭା

ବେଲଗୁଣ୍ଠା-ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପୂର୍ବତନ ବେଲଗୁଣ୍ଠା ଥାନା ଅଧିକାରୀ ତଥା ବର୍ତ୍ତମାନର ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ସୁକନ୍ୟା କ୍ଷଣପ୍ରଭା ପ୍ରଧାନ ରାଜ୍ୟରେ ୫୨ ନମ୍ବର ରାଙ୍କ୍ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। କ୍ଷଣପ୍ରଭା ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ଏହି ବଡ଼ ସଫଳତା ପାଇ ନିଜ ପରିବାର ଏବଂ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି।

କ୍ଷଣପ୍ରଭାଙ୍କ ନିଜ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ସେ ନିମାପଡ଼ା କଲେଜରୁ ଜଣେ ମେଧାବୀ ଛାତ୍ରୀ ଭାବେ ଯୁକ୍ତ ଦୁଇ ଏବଂ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ପ୍ରସିଦ୍ଧ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ନାଇଜର’ ଅଧୀନରେ ପିଏଚ୍‌ଡି  କରୁଥିବା ବେଳେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇ ଜନସେବା କରିବା ପାଇଁ ଲକ୍ଷ୍ୟ ରଖି ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ।

ଭୁବନେଶ୍ୱରରେ ରହି ଦୈନିକ ୧୦ ରୁ ୧୨ ଘଣ୍ଟା କଠିନ ପରିଶ୍ରମ କରି ସେ ଏହି ସଫଳତା ପାଇଥିବା କଥା ପ୍ରକାଶ କରିଛନ୍ତି। କ୍ଷଣପ୍ରଭା ନିଜର ଏହି ସଫଳତା ପଛରେ ବାପା ବନବିହାରୀ ପ୍ରଧାନ, ମାଆ ସସ୍ମିତା ପ୍ରଧାନଙ୍କ ସମେତ ଗୁରୁଜନମାନଙ୍କ ଆଶୀର୍ବାଦ ଓ ପ୍ରେରଣା ରହିଛି ବୋଲି କହିଛନ୍ତି।

କ୍ଷଣପ୍ରଭାଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଗାଙ୍ଗପୁର ଥାନାର ସମସ୍ତ ପୋଲିସ କର୍ମଚାରୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ସୁଶାନ୍ତ ବେହେରାଙ୍କ ସମେତ ସମସ୍ତ ସାମ୍ବାଦିକ ଏବଂ ଗାଙ୍ଗପୁର ଓ ବେଲଗୁଣ୍ଠା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें