ରିପୋର୍ଟ -ମାଗୁଣି ମିଶ୍ର, ଭଞ୍ଜନଗର
ଆସନ୍ତା ଜୁଲାଇ ୧୬ ତାରିଖରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ, ପ୍ରସିଦ୍ଧ ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ କୁଲାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରର ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଘୋଷଯାତ୍ରାକୁ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅତିରିକ୍ତ ତହସିଲଦାର ଅବିନାଶ ମାହାର ରଥଖଳା ପରିଦର୍ଶନ କରି ତିନି ଠାକୁରଙ୍କ ରଥର ସ୍ଥିତି ସମୀକ୍ଷା କରିଛନ୍ତି। ସେ ରଥର ମୁଖ୍ୟ କାରିଗର ତ୍ରିନାଥ ମହାରଣାଙ୍କ ସହ ଆଲୋଚନା କରିବା ସହ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ଓ ଅନ୍ୟାନ୍ୟ ଉପକରଣ ତୁରନ୍ତ ଯୋଗାଇ ଦେବାକୁ ରାଜସ୍ୱ ନିରୀକ୍ଷକ ଭଗବାନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରଥ କାଠ ଗୁଡ଼ିକ ଉତ୍ତର ଘୁମୁସର ବନଖଣ୍ଡରୁ ଅଣାଯିବାର ବ୍ୟବସ୍ଥା କରାଯାଉଥିବା ବେଳେ ଯାତ୍ରା ପାଇଁ ଆବଶ୍ୟକୀୟ ଆର୍ଥିକ ପାଣ୍ଠିର ସଂଗ୍ରହ ଓ ମାଧ୍ୟମ ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ଆସନ୍ତା ଜୁନ୍ ୨୯ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଥିବାରୁ ଏହି ଅବସରରେ ମନ୍ଦିରର ପୂଜକମାନଙ୍କ ସହ ମଧ୍ୟ ବିଶେଷ ଆଲୋଚନା କରାଯାଇଛି। ବିଶେଷ କରି ପୂଜାର୍ଚ୍ଚନା ସମୟରେ ପୂଜକମାନଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ବା ବିବାଦ ଯେପରି ସୃଷ୍ଟି ନହୁଏ, ସେଥିପ୍ରତି ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦେବାକୁ ଆଲୋକପାତ କରାଯାଇଛି। ଏହି ସମୀକ୍ଷା ଓ ପ୍ରସ୍ତୁତି ବୈଠକ ସମୟରେ ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା, ଫରେଷ୍ଟର ଶରତ ଚନ୍ଦ୍ର ମହାନ୍ତି, ମନ୍ଦିର ପରିଚାଳନା କମିଟିର ସଦସ୍ୟ ସଞ୍ଜୟ ପ୍ରଧାନ, ବ୍ରହ୍ମାନନ୍ଦ ଦାସ ଏବଂ ବିଭୂପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।









