ରିପୋର୍ଟ-ମାଧବ ବେହେରା
ଖଲ୍ଲିକୋଟ-୦୬/୦୫-ଖଲ୍ଲିକୋଟ ବ୍ଲକରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ମଦ୍ୟପାନ ଯୋଗୁଁ ପାରିବାରିକ ହିଂସା ବଢିବା ସହ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ମଦ୍ୟପାନ ଜନିତ ଗଣ୍ଡଗୋଳ ଏବଂ ସଡ଼କ ଦୁର୍ଘଟଣା ଏବେ ନିତିଦିନିଆ ଘଟଣା ପାଲଟିଛି ।
ଅବକାରୀ ଏବଂ ପୋଲିସ ବିଭାଗରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଅଞ୍ଚଳରେ ବେଆଇନ ଦେଶୀ ମହୁଲି ମଦର ବନ୍ୟା ଛୁଟିଛି । ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଝାଡ଼େଶ୍ୱର ମନ୍ଦିର ନିକଟ, ବିଦ୍ୟାଳୟ ସମ୍ମୁଖ, ଏବଂ ନଦୀ-ପୋଖରୀକୁ ଯିବା ରାସ୍ତାରେ ଖୁଲମଖୁଲା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଦାନପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳପଲ୍ଲୀ ଗ୍ରାମରେ ମଧ୍ୟ ବେଆଇନ ମଦ କାରବାର ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଦାନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ବର୍ତ୍ତମାନର ସରପଞ୍ଚ ଭାରତୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ଖଲ୍ଲିକୋଟ ବ୍ଲକ ପରିସରରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାନପୁରକୁ ଏକ ‘ମଦ ମୁକ୍ତ ପଞ୍ଚାୟତ’ ଭାବେ ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତର ବିନା କୌଣସି ଅନୁମତି ପତ୍ର ବା ଏନଓସିରେ ଏହି ମଦ ଦୋକାନଗୁଡ଼ିକ ଚାଲିଛି । ଏନେଇ ପଞ୍ଚାୟତ ଗ୍ରାମସଭାରେ ଏକ ସଂକଳ୍ପ ପାରିତ କରାଯାଇଛି । ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ଅବକାରୀ ଅଧୀକ୍ଷକ ଏବଂ କୋଦଳା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।









