ବେଲଗୁଣ୍ଠା-୨୫/୦୪- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଋଣ ଭାର ଓ ପୁତ୍ର ଶୋକ ସହିନପାରି ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟା ନମିତା ବିଷୋୟୀ।
ସୂଚନା ଅନୁସାରେ, ସିମାଞ୍ଚଳଙ୍କ ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ସେ ନମିତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ତାଙ୍କର ୫ ଝିଅ ଓ ଗୋଟିଏ ପୁଅ ଥିଲେ। ପୂର୍ବରୁ ୪ ଝିଅଙ୍କ ବିବାହ ସରିଥିବା ବେଳେ ଏକମାତ୍ର ପୁଅ ହାଇଦ୍ରାବାଦରେ କାମ କରୁଥିଲେ। କିନ୍ତୁ ଗତ ୬ ମାସ ତଳେ ହୃଦଘାତରେ ପୁଅର ମୃତ୍ୟୁ ଘଟିବା ପରେ ଦମ୍ପତି ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। କେବଳ ସାନ ଝିଅର ବିବାହ ବାକି ଥିବାରୁ ସେମାନେ ଧୈର୍ଯ୍ୟ ଧରି ଅପେକ୍ଷା କରିଥିଲେ।
ଗତ ୨୧ ତାରିଖରେ ସାନ ଝିଅର ବିବାହ ସିଙ୍ଗିପୁର ଗ୍ରାମରେ ସମ୍ପନ୍ନ ହୋଇଥିଲା। ବିବାହ ପରବର୍ତ୍ତୀ ରୀତିନୀତି ପାଇଁ ଗତକାଲି ସମସ୍ତ ସମ୍ପର୍କୀୟ ସାନ ଝିଅ ଘରକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ସିମାଞ୍ଚଳ ଓ ନମିତା ଘର ଛାତ ଉପରେ ଏକ ପ୍ଲାଷ୍ଟିକ ଦଉଡିରେ ଝୁଲି ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ଜଣେ ଝିଅ କୌଣସି କାମରେ ବାପାଙ୍କ ଘରକୁ ଆସିଥିବା ବେଳେ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଚିତ୍କାର କରିଥିଲେ। ପରେ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି ଶବ ଉଦ୍ଧାର କରିଥିଲେ ।
ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ୦୮/୨୬ ଓ ୦୯/୨୬ ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ଉପସ୍ଥିତ ଥିଲେ। ଆସ୍କା ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ପୁଅର ମୃତ୍ୟୁ ପରେ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଋଣ ଭାର ବୃଦ୍ଧି ପାଇବା ଓ ସାନ ଝିଅର ବିବାହ ପାଇଁ ହୋଇଥିବା କରଜ ଚିନ୍ତାରେ ଦମ୍ପତି ଏଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଥାନା ଏସ.ଆଇ ବିନାୟକ ଗିଧର ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।









