୧୭ ଏପ୍ରିଲ କଳା ଦିବସ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶାଣିତ ଆକ୍ରମଣ

ଭୁବନେଶ୍ୱର: ବ୍ୟୁରୋ:ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ, ବିଶେଷ କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ସେ କହିଛନ୍ତି ଯେ, ସଂସଦ ଓ ବିଧାନସଭାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ହେଉ ବୋଲି କଂଗ୍ରେସ କେବେବି ଚାହୁଁନାହିଁ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶର ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ଅଧା ମହିଳା ଏବଂ ଆଜି ସେମାନେ ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି। ରାଜନୀତିରେ ସେମାନଙ୍କ ଉଚିତ ଭାଗିଦାରୀ ପାଇଁ ମୋଦୀ ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ୨୭୨ ଜଣ ମହିଳା ସଂସଦକୁ ନିର୍ବାଚିତ ହୋଇ ଆସିବେ, ଯାହା ବିରୋଧୀ ସହିପାରୁ ନାହାନ୍ତି।

ନାରୀଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେଇଛନ୍ତି। ଯେଉଁମାନେ ଭାବୁଛନ୍ତି କି ଏହି ପ୍ରକ୍ରିୟାକୁ ସେମାନେ ରୋକିଦେବେ, ସେମାନେ ଭ୍ରମରେ ଅଛନ୍ତି। ୨୦୨୯ ସୁଦ୍ଧା ଏହି ଆଇନ ଲାଗୁ ହେବ ଏବଂ ମହିଳାମାନେ ‘ଲ’ ମେକର’ ବା ଆଇନ ପ୍ରଣୟନକାରୀ ସାଜିବେ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସମାନ ଅଧିକାର ଦେବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ବିରୋଧୀ ଦଳଗୁଡ଼ିକ ମହିଳା ସଶକ୍ତିକରଣର ମୁଖା ପିନ୍ଧି କେବଳ ଭାଷଣ ଦେଉଛନ୍ତି, କିନ୍ତୁ ସଂସଦରେ ସେମାନଙ୍କର ପ୍ରକୃତ ରୂପ ପଦାରେ ପଡ଼ିଛି ବୋଲି ସେ ସିଧାସଳଖ ଆକ୍ରମଣ କରି କହିଛନ୍ତି । ତାଙ୍କ ସହିତ ବରିଷ୍ଠ ବିଜେପି ନେତ୍ରୀ ବାଂସୁରୀ ସ୍ୱରାଜ ମଧ୍ୟ ନାରି ଅଧିନିୟମ ଆଇନ କୁ ନେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ।

ଆଗାମୀ ଦିନରେ ମହିଳାମାନେ ସେମାନଙ୍କ ଅଧିକାର ସଙ୍କୁଚିତ କରୁଥିବା ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *

और पढ़ें