ବେଲଗୁଣ୍ଠା:ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ ହେବା ପରେ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବଙ୍କା ପଞ୍ଚାୟତ ଗସ୍ତ କରିଥିଲେ। ଗସ୍ତ ସମୟରେ ସେ ବଙ୍କା ପଞ୍ଚାୟତର କିରାପଲି ନିକଟସ୍ଥ କୁମାରସୁଣୀ ପାହାଡ଼ ପାଦଦେଶରେ ଅବସ୍ଥିତ ମା’ ତଳ କୁମାରସୁଣୀଙ୍କ ମନ୍ଦିର ଓ ସେଠାକାର ମନୋରମ ଭିୟୁ-ପଏଣ୍ଟ ପରିଦର୍ଶନ କରିଥିଲେ।

ଏହି ସ୍ଥାନରେ ପର୍ଯ୍ୟଟନର ପ୍ରଚୁର ସୁଯୋଗ ରହିଥିବା ପ୍ରକାଶ କରିବା ସହ, ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଏଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଜିଲ୍ଲାପାଳ ବଙ୍କା ପଞ୍ଚାୟତ କାର୍ଯ୍ୟାଳୟ ସମେତ ସ୍ଥାନୀୟ ପାଠାଗାର ଓ ସୂଚନା କେନ୍ଦ୍ର, ମା’ ଘୋଡ଼େଇସୁଣି ଭୋଗମଣ୍ଡପ, ରାଧାକୃଷ୍ଣ ମନ୍ଦିର, କଲ୍ୟାଣୀ ମଣ୍ଡପ, ଆମ ଅଙ୍ଗନବାଡ଼ି କେନ୍ଦ୍ର-୨ ଏବଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ।

ନିର୍ମାଣାଧୀନ କଲ୍ୟାଣ ମଣ୍ଡପର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଖେଳକୁଦ ଓ ଶିକ୍ଷଣୀୟ ବିଷୟରେ ଆଲୋଚନା କରି ସମୟ ଅତିବାହିତ କରିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ପିଡ଼ି ସମୀର କୁମାର ଜେନା, ପ୍ରୋବେସନର ଆଇ.ଏ.ଏସ. ଶରଣ୍ୟା ସର୍ବଣା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ସିଙ୍ଗାପୁରମ ହରି, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶଚନ୍ଦ୍ର ତ୍ରିପାଠୀ ଓ କନିଷ୍ଠ ଯନ୍ତ୍ରୀ ସୁନୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବଙ୍କା ପଞ୍ଚାୟତ ତରଫରୁ ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା ଏବଂ ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।









