ବେଲଗୁଣ୍ଠା-୨୦/୭- ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ। ଏହାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ବେଲଗୁଣ୍ଠା ଅଞ୍ଚଳର ଜଣେ ମେଧାବୀ ଛାତ୍ର। ଚଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ବେଲଗୁଣ୍ଠା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ମାଷ୍ଟର କଲୋନୀର ସ୍ୱୟଂଶକ୍ତି ପ୍ରଧାନ। ଏହି ଖବର ପ୍ରଚାରିତ ହେବା ପରେ ସ୍ୱୟଂଶକ୍ତିଙ୍କ ନିକଟକୁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ପ୍ରଧାନ ଓ ମାତା କୁନି କୁମାରୀ ସ୍ୱାଇଁଙ୍କ ସୁପୁତ୍ର ସ୍ୱୟଂଶକ୍ତି ଚଳିତ ନିଟ୍ ପରୀକ୍ଷାରେ ୭୨୦ ମାର୍କରୁ ୬୨୦ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୫୦୨୬ ରେଙ୍କ ହାସଲ କରିଛନ୍ତି। ଏହି ସଫଳତା ସହ ସେ ନିଜର ଡାକ୍ତର ହେବା ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି।ସ୍ୱୟଂଶକ୍ତି ପିଲାଦିନରୁ ହିଁ ପାଠପଢ଼ାରେ ବେଶ୍ ଆଗୁଆ ଥିଲେ। ସେ ଭଞ୍ଜନଗର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରୁ ୯୨ ପ୍ରତିଶତ ନମ୍ବର ରଖି ହାଇସ୍କୁଲ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ଗୋଳନ୍ଥରା ସ୍ଥିତ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଥିଲେ। ନିଜର ନିଷ୍ଠାପର ଉଦ୍ୟମ ତାଙ୍କୁ ଜାତୀୟ ସ୍ତରର ଏହି କଠିନ ପରୀକ୍ଷାରେ ଏଭଳି ବଡ଼ ସଫଳତା ଆଣିଦେଇଛି।ସ୍ୱୟଂଶକ୍ତି ନିଜର ଏହି ସଫଳତାର ଶ୍ରେୟ ନିଜର ପିତାମାତା, କୋଚିଂ ଅନୁଷ୍ଠାନର ଗୁରୁଜୀ-ଗୁରୁମା ଓ ଭଗବାନଙ୍କୁ ଦେଇଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ପିତା ଅଶୋକ କୁମାର ପ୍ରଧାନ ଓ ମାତାଙ୍କ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପ୍ରେରଣା ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜର ତଥା ଅଞ୍ଚଳର ସେବା କରିବାକୁ ସେ ଆଶା ରଖିଛନ୍ତି। ସ୍ୱୟଂଶକ୍ତିଙ୍କ ଏଭଳି ସଫଳତା ପାଇଁ ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।









