ଦାଦନ ସାଜିଲା କାଳ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ, ରୋଜଗାରିଆ ପୁଅର ଶେଷ ଦର୍ଶନ କରିପାରିଲେ ନାହିଁ ବାପା ମାଁ

ପେଟ ପାଟଣା ସହିତ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଭିଟାମାଟି ଛାଡ଼ି ଦାଦନ ଭାବେ ରାଜ୍ୟ ବାହାରକୁ ଯାଉଛନ୍ତି ସ୍ଥାନୀୟ ଯୁବକ। ଜନସଂଖ୍ୟାକୁ ତାଳ ଦେଇ ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଜିଲ୍ଲାରେ କୌଣସି କଳକାରଖାନା ନଥିବା ଯୋଗୁଁ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ମାମର ଅଧିକ ଯୁବକଯୁବତୀ ସୁଦୂର ଗୁଜୁରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ସହିତ ଦୁବାଇ ଭଳି ବୈଦେଶିକ ଅଞ୍ଚଳକୁ ମଧ୍ୟ ଧାଉଁଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଦାଦନ ସଂଖ୍ୟା ବଢ଼ି ୩୦ ଲକ୍ଷ ଟପିଲାଣି। କିନ୍ତୁ ବହୁ ସମୟରେ ବିଭିନ୍ନ ରୋଗ କିମ୍ବା ଦୁର୍ଘଟଣାର ଶିକାର ହୋଇ ଶ୍ରମିକମାନଙ୍କ ମୃତ୍ୟୁ ଘଟଣା ସେମାନଙ୍କ ପରିବାରର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଉଛି।

ଏହିଭଳି ଏକ ଦୁଃଖଦ ଦୁର୍ଘଟଣାଜନିତ ମୃତ୍ୟୁର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଉଢ଼ୁରା ପଞ୍ଚାୟତ ଅନ୍ତର୍ଗତ କୋକଲୁଣ୍ଡା ଗ୍ରାମର ଜଣେ ଯୁବକ। ମୃତ ଯୁବକ ଜଣକ ହେଲେ କୋକଲୁଣ୍ଡା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ସାନ ପୁଅ ଆଲୋକ ବେହେରା (୨୫)। ସୁରେନ୍ଦ୍ର ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କର ସମସ୍ତ ପରିବାର ସଦସ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସୁରେନ୍ଦ୍ର ନିଜେ ବହୁ ବର୍ଷ ହେବ ତାଳଚେରର ଏକ ରୋଟି କମ୍ପାନୀରେ କାମ କରୁଥିବା ବେଳେ, ପରିବାରର ଆର୍ଥିକ ଅନାଟନ ଯୋଗୁଁ ଆଲୋକ ପ୍ରାଥମିକ ବିଦ୍ୟାଳୟରୁ ହିଁ ପାଠରେ ଡୋରି ବାନ୍ଧିଥିଲେ। ପ୍ରାୟ ଆଠ ବର୍ଷ ତଳେ ସେ ନିଜ ସାଙ୍ଗସାଥୀଙ୍କ ସହ ସୁରତ ଚାଲିଯାଇଥିଲେ ଏବଂ ସେଠାରେ ସାତ ବର୍ଷ କାମ କରିବା ପରେ ଗତ ଆଠ ମାସ ହେବ ମୁମ୍ବାଇରେ କାର୍ଯ୍ୟ କରୁଥିଲେ।

ଗତ ୨୯ ତାରିଖ ଦିନ ସେ ତାଳଚେର ଆସିବା ପାଇଁ ମୁମ୍ବାଇରୁ ଟ୍ରେନ୍‌ରେ ଚଢ଼ିଥିଲେ। କିନ୍ତୁ ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ନାସିକ ପାଖରେ ଆଲୋକ ଅସାବଧାନତା ବଶତଃ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ରେଳ ସୁରକ୍ଷା ବାହିନୀକୁ ଜଣାଇବା ପରେ ରେଲୱେ ପୋଲିସ ଆଲୋକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନାସିକର ଏକ ଘରୋଇ ହସ୍ପିଟାଲ ଓ ପରେ ନାସିକ ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖ ମଧ୍ୟାହ୍ନ ୧୨ଟା ୨୦ ମିନିଟ୍ ସମୟରେ ଆଲୋକ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ମୃତ୍ୟୁ ଖବର ପାଇ ଆଲୋକଙ୍କ ଭାଇ ଏବଂ ଭିଣୋଇ ନାସିକରେ ପହଞ୍ଚିବା ପରେ ୧ ତାରିଖ ଦିନ ହିଁ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଆଲୋକଙ୍କ ମୃତଦେହକୁ ନିଜ ଗ୍ରାମକୁ ଆଣିବା ନିମନ୍ତେ ପରିବାର ଲୋକଙ୍କ ପାଖରେ ଅର୍ଥର ଘୋର ଅଭାବ ଥିବାରୁ, ବାଧ୍ୟ ହୋଇ ସେମାନେ ନାସିକରେ ହିଁ ଶବ ସତ୍କାର କରିଦେଇଥିଲେ। ଫଳରେ ଆଲୋକଙ୍କ ବାପା, ମା ଏବଂ ଭଉଣୀ ତାଙ୍କର ଶେଷ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ପରିବାରଟି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଉଢ଼ୁରା ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें