ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ରିପୋର୍ଟ-ବଂଶୀଧର ଗୌଡ଼, ଗାଙ୍ଗପୁର 

ଗାଙ୍ଗପୁର: ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବର୍ଷ ୨୦୨୬-୨୭ର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଞ୍ଜିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅଳକା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ନୂତନ ପାଠ୍ୟପୁସ୍ତକର ପ୍ରଶିକ୍ଷଣ ଅନୁଯାୟୀ ଶିକ୍ଷାଦାନ ସମୟରେ ରହୁଥିବା ଭୁଲ୍‌ଭଟକାଗୁଡ଼ିକୁ ସଂଶୋଧନ କରି ସୁଚାରୁରୂପେ ଶିକ୍ଷାଦାନ କରାଇବା ଏହି ବୈଠକର ମୁଖ୍ୟ ଆଭିମୁଖ୍ୟ ବୋଲି ପ୍ରଧାନଶିକ୍ଷୟତ୍ରୀ ପ୍ରକାଶ କରିଥିଲେ।

ଏହି ସମୀକ୍ଷା ବୈଠକରେ ସିଆରସିସି ଶ୍ରୀମତୀ ପାତ୍ର ବିଦ୍ୟାଳୟ ପରିଚାଳନା କମିଟିର ନୂତନ ଗଠନ ପ୍ରକ୍ରିୟା,ବାର୍ଷିକ କାର୍ଯ୍ୟ ଯୋଜନା, ବିଦ୍ୟାଳୟ ସମୟ ନିର୍ଘଣ୍ଟ, ଶିକ୍ଷଣ ଫଳାଫଳ ପୁସ୍ତିକା, ‘ଯାଦୁପେଡ଼ି’ ଏବଂ ଶିଶୁ ବାଟିକାର ଖେଳ ଭିତ୍ତିକ ପୁସ୍ତିକାର ସଫଳ ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏଥିରେ ବାଙ୍ଗରଡ଼ା ପ୍ରଧାନଶିକ୍ଷକ ଜୟରାମ ବେହେରା,କେନ୍ଦୁପଦର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରଧାନ, ନାହାଡା ପ୍ରଧାନଶିକ୍ଷକ ବଂଶୀଧର ପରିଡା,ଚାଟୁଳା ପ୍ରଧାନଶିକ୍ଷକ ଦୁତିକୃଷ୍ଣ ବେହେରା,କେଶରପଲ୍ଲୀ ପ୍ରଧାନଶିକ୍ଷୟତ୍ରୀ ରିତା ବେହେରା, ସହକାରୀ ଶିକ୍ଷକ ମନୋଜ କୁମାର ତ୍ରିପାଠୀଙ୍କ ସମେତ ସଂଗୀତା ମଞ୍ଜରୀ ଶତପଥୀ, ସୁଜିତା ବିଷୋୟୀ, ବନ୍ଦନା ମହାରଣା, ମମତା ସ୍ୱାଇଁ, ପର୍ଶୁରାମ ଖର, ସଂଗୀତା ପ୍ରଧାନ, ସଂଘମିତ୍ରା ସ୍ୱାଇଁ, ଗୀତାଞ୍ଜଳି ଦାସ, ପ୍ରଭାକର ବିଷୋୟୀ ଓ ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ପରିଶେଷରେ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ରୋଜିତା ଗୌଡ଼ଙ୍କ ସଂଯୋଜନା ଓ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ବୈଠକଟି ଅତି ସୁନ୍ଦର ଭାବେ ପରିଚାଳିତ ହୋଇଥିଲା। କମିଟିର ସମସ୍ତ ସଦସ୍ୟଙ୍କ ସହ ପାଚିକା ଗୋଲାପ ଗୌଡ଼ ଓ ଶାନ୍ତିଲତା ସାହୁ ଏଥିରେ ସହଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିଲେ ସୁଦ୍ଧା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ବିପୁଳ ଉତ୍ସାହ ଓ ସକ୍ରିୟ ଉପସ୍ଥିତି ଯୋଗୁଁ ଏହି ପ୍ରଥମ ମାସିକ କ୍ଲଷ୍ଟର ବୈଠକଟି ସର୍ବାଙ୍ଗ ସୁନ୍ଦର ଓ ସଫଳ ହୋଇପାରିଛି।

Leave a Reply

Your email address will not be published. Required fields are marked *

और पढ़ें