ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ୧୫ ଦିନ ତଳେ ନିଖୋଜ ହୋଇଥିବା ବୃଦ୍ଧଙ୍କର ବୋଲି ପୁଲିସର ଅନୁମାନ

ରିପୋର୍ଟ-ମାଗୁଣୀ ମିଶ୍ର,ଭଞ୍ଜନଗର 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଦଦରଲୁଣ୍ଡା ପଞ୍ଚାୟତ ଜି.ରମ୍ଭା ନିକଟସ୍ଥ ବାଘମରା ଜଙ୍ଗଲର ଏକ ପାହାଡ଼ ଉପରୁ ଗୁରୁବାର ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ଉକ୍ତ କଙ୍କାଳଟି ଏକ ପୁରୁଷ ଲୋକର ବୋଲି ଅନୁମାନ କରାଯାଉଛି।ଘଟଣାସ୍ଥଳରେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ବେଳେ ସେଥିରେ କିଛି ଚୁଟି ଓ ଖପୁରୀ ରହିଥିବା ଏବଂ ଶରୀରର ଅନ୍ୟାନ୍ୟ ଅଂଶ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଭଞ୍ଜନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଏନେଇ କେସ୍ ନମ୍ବର ୧୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଙ୍କାଳକୁ ବ୍ୟବଚ୍ଛେଦ ତଥା ଅଧିକ ପରୀକ୍ଷା ପାଇଁ ବ୍ରହ୍ମପୁର ଏଫ୍‌ଏମ୍‌ଟି କୁ ପଠାଇଥିବା ନେଇ ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।ଉଦ୍ଧାର ହୋଇଥିବା ଏହି କଙ୍କାଳଟି ଗତ ୧୫ ଦିନ ହେଲା ନିଖୋଜ ଥିବା ବିରିକୋଟ ନିକଟ ମହୁଲପଲ୍ଲୀ ଗ୍ରାମର ମିଶନ ପ୍ରଧାନ (୫୫)ଙ୍କର ବୋଲି ପୁଲିସ ପ୍ରାଥମିକ ଭାବେ ଅନୁମାନ କରୁଛି। ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ମିଶନ ପରିବାର ଲୋକଙ୍କ ସହ କୌଣସି କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରମ୍ଭା ନିକଟରେ ପରିଶ୍ରା ଯିବାକୁ କହି ସେ ହଠାତ୍ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ। ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣାପଡ଼ିଛି। ପରିବାର ଲୋକେ ସେତେବେଳେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ଘରକୁ ନଫେରିବାରୁ ଏନେଇ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

 

Leave a Reply

Your email address will not be published. Required fields are marked *

और पढ़ें