ରିପୋର୍ଟ-ମାଗୁଣି ମିଶ୍ର,ଭଞ୍ଜନଗର
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଗ୍ରାମରେ ଜଣ୍ଡିସ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଆଜି ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଉକ୍ତ ଗ୍ରାମକୁ ଗସ୍ତ କରି ନୁଆଁସାହି ଓ ଉସ୍ତ ସାହିରେ ଚି଼ହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ପିଇବା ପାଣି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ନେଇଛନ୍ତି। ଜିଲା ସ୍ୱାସ୍ଥ୍ୟ ବିଭାଗର ଡା. ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲା ମହାମାରୀ ବିଶେଷଜ୍ଞ ମୁକେଶ ଚନ୍ଦ୍ର ମାଳି,ବାଓଲୋଜିଷ୍ଟ ଅପ୍ରଣୀତା ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ଏଏନଏମ ସବିତା ନିମାଲ ଓ ଆଶାକର୍ମୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ ଦୁଇ ସାହିର ମୋଟ ୬ ଜଣ ୧୩ ବର୍ଷରୁ କମ ପୁଅଝିଅ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ୨ ଜଣଙ୍କ ନିକଟରେ ଲକ୍ଷଣ ରହିଥିବା ବେଳେ ଚିକିତ୍ସା ଜାରି ରହିଥିବା ସେମାନେ ପ୍ରକାଶ କରିଛନ୍ତି। ପ୍ରାଥମିକ ସ୍ତରରେ ଦୂଷିତ ପାଣି ବ୍ୟବହାର ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।ପରୀକ୍ଷା ରିପୋର୍ଟ ପରେ ଜଣା ପଡିବ ବୋଲି ସେ କହିଛନ୍ତି। ଜଳଯୋଗାଣ ବ୍ୟବସ୍ଥା କୁ ଅଧିକ ସୁଧାରିବାର ଆବଶ୍ୟକତା ରହିଛି। ନଦୀରୁ ପାଣି ଉଠାଯାଇ ଏହି ଗ୍ରାମକୁ ଜଳଯୋଗାଣ ହେଉଥିବା ବେଳେ ଇଣ୍ଟେକୱାଲ ଠାରୁ ଆରମ୍ଭ କରି ଷ୍ଟୋରେଜ ଟ୍ୟାଙ୍କ ପାଣି ରହୁଥିବା ସବୁ ସ୍ଥାନରୁ ବିଶୋଧନ କରିବା ପାଇଁ ଜରୁରୀ ବୋଲି ସେ ଜଣାଇଛନ୍ତି। କିଛି ସ୍ଥାନରେ ପାଣି ବାହାରୁଥିବା ନୋଜେଲ ପଏଣ୍ଟ ଗ୍ରାଉଣ୍ଡ ଲେବଲରେ ରହିଥିବାରୁ ପିଇବା ପାଣି ସହ ଦୂଷିତ ପାଣି ମିଶିବାର ଆଶଙ୍କା ରହିଛି। ତେଣୁ ଜଳଯୋଗାଣ ସ୍ଥିତିକୁ ସୁଧାରିବା ପାଇଁ ଆମେ ବ୍ଲକ ପ୍ରଶାସନ କୁ ଅବଗତ କରିବୁ ବୋଲି କହିଥିଲେ।ଏ ସଂକ୍ରାନ୍ତରେ ବିଡ଼ିଓ ଭାରତୀ ଦେବୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଆମେ ଖବର ପାଇ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲୁ। ସମସ୍ତେ ଜଳ ପ୍ରକଳ୍ପକୁ ବିଶୋଧନ କରିବାକୁ କୁହାଯାଇଛି।









