ବ୍ୟୁରୋ
ବ୍ରହ୍ମପୁର: ଜଣେ ପୁଲିସ କନଷ୍ଟେବଳ ଶୁକ୍ରବାର ସନ୍ଧ୍ୟାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ସେ ହେଲେ ବିଜିପୁର ପୁଲିସ କଲୋନୀରେ ରହୁଥିବା ଆଶୁତୋଷ ମୃଦଙ୍ଗିଆ (୪୨)। ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ତାଙ୍କ ପିଠି ସମେତ ଶରୀରର ଅନ୍ୟାନ୍ୟ ସ୍ଥାନ ଗୁରୁତର ଭାବେ ପୋଡ଼ିଯାଇଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଆରଟିଓ (RTO) ଅଧୀନରେ ଓଏମଭିଡି (OMVD) କନଷ୍ଟେବଳ ଭାବେ କାର୍ଯ୍ୟରତ ଆଶୁତୋଷ ଓ ତାଙ୍କ କନଷ୍ଟେବଳ ପତ୍ନୀ ସନ୍ଧ୍ୟା ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ପୁଲିସ କ୍ୱାଟରରେ ରହୁଛନ୍ତି।ତେବେ ଆଶୁତୋଷ ନିଜ ପତ୍ନୀ ସନ୍ଧ୍ୟାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ମହିଳା ଥାନା ପୁଲିସ ପ୍ରାୟ ମାସେ ତଳେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯାହାକୁ ନେଇ ସେବେଠାରୁ ପରିବାରରେ ତୀବ୍ର ଅଶାନ୍ତି ଲାଗି ରହିଥିଲା।
ଶୁକ୍ରବାର ସନ୍ଧ୍ୟାରେ ଆଶୁତୋଷ କ୍ୱାଟରରେ ଥିବା ବେଳେ ହଠାତ୍ ମାନସିକ ଭାରସାମ୍ୟ ହରାଇ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଜଳୁଥିବା ଅବସ୍ଥାରେ ସେ କ୍ୱାଟର ସିଡ଼ିରେ ତଳକୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇବା ପାଇଁ ନିକଟରେ ରହୁଥିବା ଜଣେ ପୁଲିସ ହାବିଲଦାରଙ୍କ ଘରେ ପଶି ଯାଇଥିଲେ। ଏହାଯୋଗୁଁ ସମ୍ପୃକ୍ତ ହାବିଲଦାରଙ୍କ ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। କ୍ୱାଟର ପରିସରରେ ରହୁଥିବା ଅନ୍ୟ ପୁଲିସ କର୍ମଚାରୀମାନେ ତୁରନ୍ତ ଆଶୁତୋଷଙ୍କୁ ଉଦ୍ଧାର କରି ନିଆଁ ଲିଭାଇବା ସହ ଗୁରୁତର ଅବସ୍ଥାରେ ଡାକ୍ତରଖାନା ପଠାଇଥିଲେ। ଘଟଣାର ଖବର ପାଇ ଟାଉନ୍ ଥାନା ଏବଂ ଟ୍ରାଫିକ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।









