ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର
ଭଞ୍ଜନଗର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପଶ୍ଚିମ)ର ବିଭିନ୍ନ ନେତାଙ୍କୁ ପୃଥକ ପୃଥକ ଭାବେ ଭେଟି ଆଲୋଚନା କରିଛନ୍ତି। ଏହି ସମୟରେ ସମସ୍ତ ନେତା ସଂଘଠିତ ହୋଇ ଦଳକୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ବି. ଦଣ୍ଡପାଣି ପାତ୍ରଙ୍କ ସମେତ ସୋରଡ଼ା ବିଧାୟକ ପ୍ରାର୍ଥୀ ହରେକୃଷ୍ଣ ରଥ, ସାଧାରଣ ସମ୍ପାଦକ ବବି ରଥ, ଉପ-ସଭାପତି ସୁନାରାମ ସାବତ ଓ ରାଜ୍ୟ ସମ୍ପାଦିକା ସୁଦିପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ କଂଗ୍ରେସ ନେତା ଦେବୀ ବିଷୋୟୀ, ଭଞ୍ଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ, ନାରାୟଣ ସେଠି, ଜଗନ୍ନାଥପ୍ରସାଦର ପୂର୍ବତନ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ନେତା ମନୋଜ କୁମାର ସାହୁ ଓ ସୀମା ବିଶୋଇ ପ୍ରମୁଖ ପ୍ରଭାରୀଙ୍କୁ ଭେଟି ଭବ୍ୟ ସ୍ୱାଗତ କରିବା ସହ ଦଳର ସାଂଗଠନିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ଗତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସେ ବିଧାୟକ ପଦ ସହିତ ଜିଲ୍ଲା ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ। ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଜିଲ୍ଲାରେ ଦଳୀୟ ସଂଗଠନ ଆଶାନୁରୂପକ ଭାବେ ଆଗକୁ ବଢ଼ିପାରୁ ନଥିବା ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ପୂର୍ବତନ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ବି. ଦଣ୍ଡପାଣି ପାତ୍ରଙ୍କୁ ବର୍ତ୍ତମାନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ସେ ଦଳକୁ ସୁସଂଗଠିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରମେଶଙ୍କ ଅନୁପସ୍ଥିତିରେ ଦଣ୍ଡପାଣି ଦଳକୁ କେତେଦୂର ଆଗକୁ ନେଇପାରୁଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଅପରପକ୍ଷରେ, ରମେଶଙ୍କୁ ସମର୍ଥନ କରୁଥିବା କଂଗ୍ରେସ ନେତାମାନେ ଏହି ଅବସରରେ ପ୍ରଭାରୀଙ୍କୁ ଭେଟି ନଥିବା ଜଣାପଡ଼ିଛି।









