୪୨ ହିତାଧିକାରୀଙ୍କୁ ଭତ୍ତା ଓ ୮ ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ୍ ପ୍ରଦାନ କଲେ ବିଧାୟକ

ବେଲଗୁଣ୍ଠା: ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ଜରୁରୀକାଳୀନ ବୈଠକ ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୨୬, ଆର୍ଥିକ ବର୍ଷ ୨୦୨୬-୨୭ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଓ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିମନ୍ତେ ଏହି ବୈଠକ ଆହୂତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ୪୨ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବା ସହ ୮ ଜଣ ସଫେଇ କର୍ମଚାରୀଙ୍କୁ ସୁରକ୍ଷା କୀଟ ପ୍ରଦାନ କରିଥିଲେ। ଏହି ଅବସରରେ ବୈଠକରେ ବିଧାୟକ ପ୍ରତିନିଧି ତଥା ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ ଏବଂ ସାଂସଦ ପ୍ରତିନିଧି ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ଏହି ସମୀକ୍ଷା ବୈଠକରେ ପରିଷଦର ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ କାଉନସିଲାର ଏସ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଲିଜା ବେହେରା, ପ୍ରିୟମ୍ବଦା ସାମଲ, କାଁହୁଚରଣ ସାହୁ, ପ୍ରଦୀପ କୁମାର ସେଠି, ପ୍ରଗତି ପାତ୍ର, ଏ. ଦିଲୀପ କୁମାର ଆଚାରି, କେ. ସୁଜ୍ୟୋତି ସୁବୁଦ୍ଧି, ବିଶ୍ୱନାଥ ଦଳେଇ ଓ ପ୍ରତିମା ସ୍ୱାଇଁଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରାଯାଇଥିଲା। ଏହା ସହିତ ସ୍ଥାନୀୟ ଜ୍ଞାନଦେବୀ ଉଦ୍ୟାନର ଉନ୍ନତିକରଣ, ନୂତନ ସରକାରୀ ବସଷ୍ଟାଣ୍ଡ ନିମନ୍ତେ ଭୂମି ହସ୍ତାନ୍ତର ପ୍ରକ୍ରିୟା,ଇ-ପାଠାଗାର ନିର୍ମାଣ ଏବଂ ସହରର ସ୍ୱାଗତ ଦ୍ୱାର ନିର୍ମାଣ ଆଦି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଶେଷରେ, ପରିଷଦର ବିଭିନ୍ନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଥିଲା। ବୈଠକର ସମସ୍ତ କାର୍ଯ୍ୟସୂଚୀ ଶେଷ ହେବା ପରେ ପରିଷଦର କର୍ମଚାରୀ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें