ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ଗତ କିଛି ଦିନ ହେବ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ନେଇ ବିଭିନ୍ନ ସାହି ବାସିନ୍ଦା ଅଭିଯୋଗ କରିଆସୁଥିଲେ। ଏହି କ୍ରମରେ ଗତ ମଙ୍ଗଳବାର ସନ୍ଧ୍ୟାରେ ୧ ନମ୍ୱର୍ ୱାର୍ଡ କାଉନସିଲର ଭାସ୍କର ପାତ୍ର ଏ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ସଫେଇ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ କାଉନସିଲରଙ୍କ ଏହି ଅଭିଯୋଗ ପରେ ପ୍ରଶାସନ ତତ୍କାଳ ତତ୍ପରତା ପ୍ରକାଶ କରିଥିଲା।
ଅଭିଯୋଗକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା, କାଉନସିଲର ଶ୍ରୀ ପାତ୍ରଙ୍କୁ ସାଥିରେ ଧରି ମଙ୍ଗଳବାର ରାତି ପ୍ରାୟ ୯:୦୦ ଟା ସମୟରେ ଏକ ମୋଟରସାଇକେଲ ଯୋଗେ ସହରର ବିଭିନ୍ନ ୱାର୍ଡ ଗସ୍ତ କରିଥିଲେ। ସେମାନେ ମିଳିତ ଭାବେ ସହରର ପ୍ରମୁଖ ବ୍ୟବସାୟିକ ଓ ଆବାସିକ ଅଞ୍ଚଳ ଯେପରିକି ହାଟପଦା, ସୁତୁମୁସର ରାସ୍ତା, ପରିବା ମାର୍କେଟ, ଆମିଷ ମାର୍କେଟ, ବାଙ୍କ ବଜାର ଏବଂ ଶାନ୍ତି ନଗର ଆଦି ସ୍ଥାନ ବୁଲି ସଫେଇ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିଥିଲେ। ଏହି ନିଶାର୍ଦ୍ଧ ପରିଦର୍ଶନ ସମୟରେ କିଛି ସ୍ଥାନରେ ସଫେଇ ସନ୍ତୋଷଜନକ ଥିବା ବେଳେ ଆଉ କିଛି ସ୍ଥାନରେ କାର୍ଯ୍ୟ ଅତ୍ୟନ୍ତ ଧିମା ଚାଲିଥିବା ଅଧିକାରୀ ଜଣକ ପ୍ରତ୍ୟକ୍ଷ କରିଥିଲେ।
ସଫେଇ କାର୍ଯ୍ୟରେ ଅବହେଳା ଦେଖି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସେଠାରେ ଉପସ୍ଥିତ ସଫେଇ କର୍ମଚାରୀମାନଙ୍କୁ କଡ଼ା ତାଗିଦ୍ କରିବା ସହ ଠିକ୍ ରୂପେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଯଦି କାମରେ ଅବହେଳା ଜାରି ରହେ, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ସିଫ୍ଟ ପରିବର୍ତ୍ତନ କରିବା ପାଇଁ ସେ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ସହରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଭିନ୍ନ ୱାର୍ଡର କାଉନସିଲରମାନଙ୍କୁ ସାଥିରେ ନେଇ ନିୟମିତ ଭାବେ ଏଭଳି ଆକସ୍ମିକ ତଦାରଖ ଜାରି ରହିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏହିଭଳି ଜନହିତକର ଓ ତତ୍କାଳ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।
।









