ଜଗଦଳପୁର ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ମାଉସୀ ମାଁ ଘରେ ମଣ୍ଡା ଓ କାକରା ଖାଇଲେ ମାଁ

ବ୍ରହ୍ମପୁର: ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଶୁକ୍ରବାର ରାତିରେ ଅସ୍ଥାୟୀ ମଣ୍ଡପରୁ ବାହାରି ଉତ୍ତର ବଡ଼ ସାହି ସ୍ଥିତ ମାଉସୀ ମାଁ ବି.ଆପନା ପାତ୍ରଙ୍କ ଘରେ ପହଞ୍ଚିଥିଲେ। ପରମ୍ପରା ଅନୁସାରେ ମାଁ ବୁଢ଼ୀ ଠାକୁରାଣୀ ନିଜ ମାଉସୀ ମାଁ ପାତ୍ର ପରିବାର ଘରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା ପାଇବା ପରେ ମଣ୍ଡା ପୀଠ ଓ କାକରା ଭୋଗ ଖାଇ ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶନିବାର ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ସନ୍ଧ୍ୟା ଆଳତି ପରେ ମାଁ ସାଆନ୍ତାଣୀ ଏକ ବିରାଟ ପଟୁଆରରେ ନଗର ଭ୍ରମଣରେ ବାହାରି ଭକ୍ତକୁ ଦର୍ଶନ ଦେଇଥିଲେ।

ଏହି ଅବସରରେ ମହିଳା ଶ୍ରଦ୍ଧାଳୁ ମାନେ ମାଁଙ୍କ ଚରଣରେ ଜଳ ଲାଗି କରିବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ମାଁ ପ୍ରଥମେ ଗ୍ରାମର ମୁଖ୍ୟ ରାସ୍ତାଦେଇ ଭୂତ ସାହିରେ ପହଞ୍ଚି ପୂଜା ପାଇବା ପରେ ନିକଟସ୍ଥ ପାଟ୍ଟସାଲିଆ ସାହିରେ ପହଞ୍ଚିଥିଲେ। ମାଁଙ୍କୁ ପାଟ୍ଟସାଲିଆ ସାହି ବାସିନ୍ଦା ଘଣ୍ଟ ସ୍ଥଳ, ମୃଦଙ୍ଗ ସହିତ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ସ୍ୱାଗତ ଜଣାଇଥିଲେ ମାଁ ସାହି ଭ୍ରମଣ କରି ପୁଣି ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ମନ୍ଦିର ମୁଖ୍ୟ ଡାକୁଆ ପୂଜକ ସମେତ ବ୍ରହ୍ମପୁର ସହରର ଗନ୍ତାୟତ ପୂଜକ ଏବଂ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଯାତ୍ରା କମିଟି ସଦସ୍ୟ ଡ଼ା.ଉମାକାନ୍ତ ସାହୁ,ପଞ୍ଚାନନ ସାହୁ,ଉଦୟ ନାଥ ସାହୁ,ହରିଶ୍ଚନ୍ଦ୍ର ସାହୁ,ଶିଶିର ସାହୁ,ସଂଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ। ଘଟ ପରିକ୍ରମାକୁ ସୁଚାରୁ ରୂପେ ପରିଚାଳନା ପାଇଁ ନିମଖଣ୍ଡି ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରବିବାର ଦିନ ମାଁ ଠାକୁରାଣୀ ଅସ୍ଥାୟୀ ମଣ୍ଡପ ରୁ ନଗର ଭ୍ରମଣରେ ବାହାରି ସନ୍ତୋଷୀ ନଗର ଏବଂ ନାୟକ ସାହିରେ ଭକ୍ତ ଙ୍କୁ ଦର୍ଶନ ଦେବାପରେ ପୁଣି ଅସ୍ଥାୟୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

 

Leave a Reply

Your email address will not be published. Required fields are marked *

और पढ़ें