ରିପୋର୍ଟ-ରାଜକିଶୋର ସାବତ,ଶେରଗଡ
ସରକାର ବଦଳିଲେ, ହେଲେ ବଦଳିଲାନି ଗରିବଙ୍କ ଭାଗ୍ୟ। ବରଂ ପ୍ରାଶାସନିକ ଅବହେଳା ଓ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି ଶେରଗଡ଼ ବ୍ଲକର ଶତାଧିକ ଅସହାୟ ହିତାଧିକାରୀ। ସରକାରଙ୍କ ପକ୍ଷରୁ ମିଳୁଥିବା ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରି ଯେଉଁମାନେ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଥିଲେ, ସେମାନେ ଏବେ ମାସ ମାସ ଧରି ଭତ୍ତା ନପାଇ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ଅନେକ ବୃଦ୍ଧବୃଦ୍ଧା ନିଜର ଔଷଧ ଖର୍ଚ୍ଚ ଟିକକ ମଧ୍ୟ ତୁଲାଇ ନପାରି ଏକପ୍ରକାର ବେସାହାରା ଜୀବନ ବିତାଉଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ମୁତାବକ, ଯେଉଁ ହିତାଧିକାରୀମାନେ ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ସିଧାସଳଖ ନଗଦ ଟଙ୍କା ପାଉଛନ୍ତି, ସେମାନଙ୍କୁ ପ୍ରତି ମାସରେ ସଠିକ୍ ସମୟରେ ଭତ୍ତା ମିଳିଯାଉଛି। କିନ୍ତୁ ଯେଉଁମାନଙ୍କର ଭତ୍ତା ଟଙ୍କା ବ୍ୟାଙ୍କ୍ ଖାତା ମାଧ୍ୟମରେ ଆସୁଛି, ସେମାନେ ହିଁ ଅସଲ ହଇରାଣ ହେଉଛନ୍ତି। ମାସେ କି ଦୁଇ ମାସ ନୁହେଁ, ବରଂ ଦୀର୍ଘ ସମୟ ଧରି ଖାତାକୁ ଟଙ୍କା ନଆସିବା ଯୋଗୁଁ ହିତାଧିକାରୀମାନେ ବ୍ୟାଙ୍କ ଦୁଆର ମୁହଁକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତ
ଏଭଳି ସଂଗୀନ ବ୍ୟତିକ୍ରମ ସମ୍ପର୍କରେ ଯେତେବେଳେ ସ୍ଥାନୀୟ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପଚାରୁଛନ୍ତି, ସେଠାରେ ଦାୟିତ୍ୱହୀନ ଉତ୍ତର ମିଳୁଥିବା ଦେଖିବାକୁ ମିଳିଛି। ବ୍ଲକ କର୍ତ୍ତୃପକ୍ଷ ରୋକଠୋକ୍ ଜବାବ ଦେଇ କହୁଛନ୍ତି, “ଏଥିରେ ଆମର କିଛି ଦୋଷ ନାହିଁ, ସରକାର ବ୍ୟାଙ୍କକୁ ଟଙ୍କା ପଠାଇବାରେ ଅବହେଳା କରୁଛନ୍ତି।” ପ୍ରଶାସନ ପକ୍ଷରୁ ଏକାଥରେ ଦୁଇ ମାସର ଭତ୍ତା ମିଳିବ ବୋଲି ଆଶ୍ୱାସନା ଦିଆଯାଇଥିଲା। ଏହି ଖବର ପରେ ଅସହାୟ ଗରିବ ଲୋକଙ୍କ ମନରେ ସାମାନ୍ୟ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଦିନ ପରେ ଦିନ ଏବଂ ସମୟ ବିତିଯାଉଥିଲେ ମଧ୍ୟ ଖାତାକୁ ଟଙ୍କା ନଆସିବାରୁ ବ୍ୟାଙ୍କ ହିତାଧିକାରୀମାନେ ଏବେ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛନ୍ତି।
ଜଣେ ସାମାଜିକ ସୁରକ୍ଷା ପାଉଥିବା ହିତାଧିକାରୀଙ୍କ ପାଇଁ ଏହି ଭତ୍ତା ଟଙ୍କା କେବଳ ସରକାରୀ ସାହାଯ୍ୟ ନୁହେଁ, ବରଂ ବଞ୍ଚିବାର ଏକମାତ୍ର ସାହାରା। ତେଣୁ ଜିଲ୍ଲା ପ୍ରଶାସନ ଓ ଉଚ୍ଚ ସରକାରୀ କର୍ତ୍ତୃପକ୍ଷ ଏହି ସଂଗୀନ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବା ସହ ଅସହାୟ ବୃଦ୍ଧବୃଦ୍ଧା ଓ ବିଧବାମାନଙ୍କୁ ସେମାନଙ୍କର ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବାକୁ ସାଧାରଣରେ ଦାବିହେଉଛି।









