ରାସ୍ତା ଉନ୍ନତିକରଣ ନିମନ୍ତେ ସୋରଡ଼ା ବିଧାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ

ବେଲଗୁଣ୍ଠା: ସୋରଡ଼ା ବିଧାନସଭା କ୍ଷେତ୍ରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ଵରୂପ ଆଜି ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ଵାରା ଦୁଇଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

 

ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଏହି ଦୁଇଟି ବୃହତ୍ ପ୍ରକଳ୍ପ ପାଇଁ ମୋଟ ୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି କ୍ରମରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମପଞ୍ଚାୟତରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ କୁଲାଙ୍ଗି ଠାରୁ ଭାୟା ବୁଢାକେନ୍ଦୁ ଠାକୁରାଣୀ ମନ୍ଦିର ଏବଂ କୁଲାଙ୍ଗିଠାରୁ ପଳାସପୋଲି ଭାୟା କ୍ଷେତ୍ରୀୟବରପୁର ୫ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହାର ନିର୍ମାଣ ଦାୟିତ୍ଵ ଠିକାଦାର ଚିତ୍ତରଞ୍ଜନ ପ୍ରଧାନଙ୍କ ସଂସ୍ଥା ନେଇଛି। ଏହି ପ୍ରଥମ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋରଡ଼ା ବ୍ଳକ୍ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର ଓ ଅଜିତ କୁମାର ସ୍ୱାଇଁ ଏବଂ ଦିବାକର ତାରିଣୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଦ୍ଵିତୀୟ ପ୍ରକଳ୍ପ ସ୍ଵରୂପ ବେଲଗୁଣ୍ଠା ବ୍ଲକ ପରିସରରେ ବ୍ଲକ କାର୍ଯ୍ୟାଳୟ ପଛପଟ ଠାରୁ ଭାୟା ଗୁଡ଼ିପଲି, କଣଭାଗ, ତନରଡ଼ା ଦେଇ ଶରଧାପୁର ପର୍ଯ୍ୟନ୍ତ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ରାସ୍ତା ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଠିକାଦାର ଗୋପାଳ ପଣ୍ଡାଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀ ବିଷୋୟୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ବ୍ଳକ୍ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ବେଲଗୁଣ୍ଠା ବ୍ଳକ୍ ସାଂସଦ ପ୍ରତିନିଧି ରଞ୍ଜନ ରାଉତ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ଜୟରାମ ନାୟକ, ସଞ୍ଜୟ ପ୍ରଧାନ, ଖଇରପୁଟି ସରପଞ୍ଚ ସତ୍ୟବାନ୍ ସ୍ୱାଇଁ, ବେଣିପଲି ସରପଞ୍ଚ ଦୁର୍ଗାମାଧବ ନାୟକ, ଅଚ୍ୟୁତ ସାହୁ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ପାଇଲିପଡା ସରପଞ୍ଚ ଶିବରାମ ମହାରଣା, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ଯୁବ ନେତା ବୁଲୁ ଲେଙ୍କା, ମଣ୍ଡଳ ସଭାପତି ସଞ୍ଜୟ ଜେନା, ବେଲଗୁଣ୍ଠା ମଣ୍ଡଳ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ମଧୁସୂଦନ ପରିଡ଼ା, ସମିତିସଭ୍ୟ ଶ୍ୟାମ ସୁନ୍ଦର ନାୟକ ଏବଂ ପ୍ରଫୁଲ୍ଲ ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଦୁଇଟି ଯାକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ଵାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ପ୍ରଥମ ପ୍ରକଳ୍ପ ମାଧ୍ୟମରେ କୁଲାଙ୍ଗି, ଗୁଡ଼ିବନ୍ଧ, ପଳାଶପଲ୍ଲୀ ଓ ପର୍ଶୁଲୁଣ୍ଡା ଗ୍ରାମବାସୀଙ୍କ ସୁବିଧାଜନକ ଯାତାୟାତ ସହ ବେଲଗୁଣ୍ଠା ଏବଂ ସୋରଡ଼ା ବ୍ଳକ୍ ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ। ସେହିପରି ଦ୍ଵିତୀୟ ରାସ୍ତାର ସଂପ୍ରସାରଣ ଦ୍ଵାରା ବେଲଗୁଣ୍ଠା ବ୍ଲକର ଗୁଡ଼ିପଲ୍ଲୀ, ଠେଙ୍ଗାଧର, ସୋଡ଼ଙ୍ଗୀ, କଣଭାଗ ଓ ସରପଲ୍ଲୀ ଆଦି ଗ୍ରାମର ଜନସାଧାରଣଙ୍କ ଗମନାଗମନ ଅଧିକରୁ ଅଧିକ ସୁଗମ ହେବ ଏବଂ ଏହା ସ୍ଥାନୀୟ ଅଞ୍ଳର ସାମାଜିକ ଓ ବୃହତ୍ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ। ବର୍ତ୍ତମାନ ସୋରଡ଼ା ନିର୍ବାଚନ ମଣ୍ଡଳୀର ଉଭୟ ବ୍ଳକ୍‌ରେ ବିଭିନ୍ନ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଥିବାରୁ ସ୍ଥାନୀୟ ଜନସାଧାରଣ ବିଧାୟକ ଶ୍ରୀ ବିଷୋୟୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି।

 

Leave a Reply

Your email address will not be published. Required fields are marked *

और पढ़ें