ରିପୋର୍ଟ-ମାଗୁଣୀ ମିଶ୍ର
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ‘ଲକ୍ଷ ନିକେତନ’ ପରିସରରେ ଆଜି ଏକ ସରଳ ଓ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଏଏସ (OAS-2024) ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଭଞ୍ଜନଗର ଉପଖଣ୍ଡର ୪ ଜଣ ସଫଳ ପ୍ରାର୍ଥୀଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମାନିତ ହୋଇଥିବା କୃତୀ ପ୍ରତିଭାମାନଙ୍କ ମଧ୍ୟରେ ଆସ୍କା ବ୍ଲକର ଇତିଶ୍ରୀ ଜେନା (ରାଜ୍ୟ ର୍ୟାଙ୍କ ୧୦), ସୋରଡ଼ା ବ୍ଲକର କାହୁଁ ଚରଣ ବେହେରା (ରାଜ୍ୟ ର୍ୟାଙ୍କ ୫୬), ସ୍ନିଗ୍ଧା ସେନାପତି (ରାଜ୍ୟ ର୍ୟାଙ୍କ ୬୩) ଏବଂ ବୁଗୁଡ଼ା ବ୍ଲକର ସଂଘମିତ୍ରା ପାତ୍ର (ରାଜ୍ୟ ର୍ୟାଙ୍କ ୧୭) ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଯେ, ‘ଲକ୍ଷ ନିକେତନ’ ହେଉଛି ଜିଲ୍ଲା ପ୍ରଶାସନ ଦ୍ୱାରା ଚଳିତ ବର୍ଷ ଆରମ୍ଭ କରାଯାଇଥିବା ଏକ ମାଗଣା କୋଚିଂ ଓ ପ୍ରଶିକ୍ଷଣ ଯୋଜନା, ଯାହା UPSC ଓ OPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞ IAS/IPS/OAS ଅଧିକାରୀଙ୍କ ମାର୍ଗଦର୍ଶନ, ମକ୍-ଇଣ୍ଟରଭ୍ୟୁ, ଡିଜିଟାଲ୍ କ୍ଲାସ୍ରୁମ୍ ଏବଂ ଆଧୁନିକ ଲାଇବ୍ରେରି ସୁବିଧା ଯୋଗାଇ ଦେଉଛି ଏବଂ ଏହି ଯୋଜନା ମାଧ୍ୟମରେ ପୂର୍ବରୁ ୫ ଜଣ ପ୍ରାର୍ଥୀ ୨୦୨୫ UPSC ପରୀକ୍ଷାରେ ମଧ୍ୟ ସଫଳ ହୋଇ ଜିଲ୍ଲା ପ୍ରଶାସନର ପ୍ରଶାସନିକ ଦୂରଦୃଷ୍ଟିର ସ୍ପଷ୍ଟ ପ୍ରମାଣ ଦେଇଛନ୍ତି। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ବେହେରା ନୂତନ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ସେମାନେ ଜିଲ୍ଲା ଓ ଉପଖଣ୍ଡର ବିକାଶ, ଲୋକସେବା ଏବଂ ଗଭର୍ନାନ୍ସର ମୂଳ ସ୍ତମ୍ଭ ସାଜିବେ ଏବଂ ଆଗାମୀ ଦିନରେ ପ୍ରଶାସନିକ ଦକ୍ଷତା, ସମୟାନୁବର୍ତ୍ତିତା, ସତ୍ୟନିଷ୍ଠା ଓ ଜନସହଯୋଗ ମାଧ୍ୟମରେ ଲୋକଙ୍କ ନିକଟରେ ଗୁଣବତ୍ତାପୂର୍ଣ୍ଣ ସେବା ପହଞ୍ଚାଇବେ; ଏହାସହ ସେ ପ୍ରାର୍ଥୀମାନଙ୍କ ପରିବାର ଓ ମାର୍ଗଦର୍ଶକମାନଙ୍କୁ ଧନ୍ୟବାଦ ଦେବା ସହ ‘ଲକ୍ଷ ନିକେତନ’ ଆଗକୁ ଆହୁରି ଅନେକ ମେଧାବୀଙ୍କୁ ସଫଳ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଗୌରବମୟ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଭାରତୀ ଦେବୀ, କୃତୀ ପ୍ରାର୍ଥୀଙ୍କ ଅଭିଭାବକ, ଅଭିଭାବିକା ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।









