ଏସଆଇଆର୍ ତାଲିମ ପ୍ରଦାନ ନିର୍ଭୁଲ ଭୋଟର୍ ତାଲିକା ଉପରେ ଗୁରୁତ୍ୱାରୋପ

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର 

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧୪ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାକୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ସମୟରେ କର୍ମଚାରୀମାନେ ସ୍ବଚ୍ଛତା ଅବଲମ୍ବନ କରି ଭୋଟରଙ୍କ ବିଶ୍ୱାସଭାଜନ ହେବାକୁ ପଡିବ। ଏଥିସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଉପଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଛି। କର୍ମଚାରୀମାନେ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘରକୁ ଘର ଯାଇ ଏସଆଇଆର ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ କରିବେ। ଏଥିସହ ବୁଥକୁ ଆସୁଥିବା ମତଦାତାଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ଉପଜିଲାପାଳ କହିଥିଲେ। କର୍ମଚାରୀମାନେ ମଧ୍ୟ ନିଜ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବେ। ଘରୋଇ ସଂଶୋଧନ, ଫର୍ମ ପୂରଣ, ଅଯୋଗ୍ୟ ମତଦାତାଙ୍କ ନାମ ଅପସାରଣ, ନୂତନ ମତଦାତାଙ୍କ ସଂଯୋଜନ, ସମୟସୀମା ଏବଂ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ମଧ୍ୟ ଉପ ଜିଲାପାଳ କହିଥିଲେ। ବିଡ଼ିଓ ଭାରତୀ ଦେବୀ, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏସଆଇଆର କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଭଞ୍ଜନଗର ଉପଖଣ୍ଡର ଆସ୍କା ଓ ବେଲଗୁଣ୍ଠା ବ୍ଲକରେ ମଧ୍ୟ ଆୟୋଜନ ହୋଇଯାଇଛି।

Leave a Reply

Your email address will not be published. Required fields are marked *

और पढ़ें