ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ପଞ୍ଚାୟତର ଡେଙ୍ଗାପଦର ଗ୍ରାମରେ ପ୍ରଶାସନିକ ଅବହେଳାର ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ଦୀର୍ଘ ଦିନର ଦାବି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀମାନେ ନିଜେ ପୋଖରୀ ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି। ଗ୍ରାମର ପ୍ରାୟ ୨୦୦ ପରିବାରର ୫୦୦ରୁ ଅଧିକ ଲୋକ ଦୈନନ୍ଦିନ ବ୍ୟବହାର କରୁଥିବା ପନ୍ଦରା ସାହି ପୋଖରୀଟି ଗତ ପାଞ୍ଚ ବର୍ଷ ଧରି ଦଳ ଏବଂ ଅନାବନା ଲତାବୁଦାରେ ଭର୍ତ୍ତି ହୋଇ ପଡ଼ିରହିଥିଲା। ଏହି କାରଣରୁ ଏଠାରେ ବନ୍ୟ ଜନ୍ତୁ ଲୁଚି ରହିବା ସହ ଦୂଷିତ ଜଳ ଯୋଗୁଁ ସ୍ଥାନୀୟ ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଉଥିଲେ। ଚଳିତ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଯୋଗୁଁ ବାଧ୍ୟ ହୋଇ ଲୋକେ ଏହି ଅପରିଷ୍କାର ପୋଖରୀ ବ୍ୟବହାର କରୁଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା। ଏହାର ପ୍ରତିବାଦ ସ୍ୱରୂପ ଗ୍ରାମର ଶୁକଦେବ ବାଡତ୍ୟା, ଶଙ୍କର ପଣ୍ଡା, ଜଗନ୍ନାଥ ବେହେରା, ରାମଚନ୍ଦ୍ର ସ୍ୱାଇଁ, ଅନୀଳ ସ୍ୱାଇଁ, ସୂର୍ଯ୍ୟ ନାରାୟଣ ପ୍ରଧାନ, ପଞ୍ଚୁ ମହାନ୍ତି, ଜୟ ବାଡତ୍ୟାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ଶ୍ରମଦାନ କରି ପୋଖରୀରୁ ଦଳ ଓ ବୁଦା ସଫା କରିଛନ୍ତି। ତେବେ ପୋଖରୀର ସ୍ଥାୟୀ ପୁନରୁଦ୍ଧାର ପାଇଁ ପ୍ରଶାସନ ତୁରନ୍ତ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।









